ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟିରେ ପ୍ରାୟ ଅଢେଇ କୋଟି ଟଙ୍କା ଅଟକଳ ମୂଲ୍ୟର ୧୬ଗୋଟି ଠିକା କାର୍ଯ୍ୟକୁ OPWD ନିୟମାବଳୀକୁ ଉଲଂଘନ କରାଯାଇ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କର କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ତିନିଚାରିଟା ଲେଖାଏଁ ପ୍ରକଳ୍ପ କାର୍ଯ୍ୟ ଦେଇଥିବା ଆଜି ଜିଲ୍ଲାପାଳଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଲିଖିତ ଅଭିଯୋଗ କରିଛନ୍ତି। ଏହି ୧୬ଗୋଟି ଠିକାକାର୍ଯ୍ୟ ପାଇଁ ଅନଲାଇନ ଟେଣ୍ଡର ଆବେଦନ ପାଇଁ ମୁନିସିପାଲିଟି ପକ୍ଷରୁ ବିଜ୍ଞାପନ ପ୍ରକାଶ କରାଯାଇଥିଲା। OPWD ନିୟମ ଆଧାରରେ ଅନଲାଇନ ବିଡିଙ୍ଗ ପରେ ପୁନଶ୍ଚ ଅଫଲାଇନ ଦରଖାସ୍ତ କୌଣସି ଲାଇନ ଯାନ୍ତ୍ରିକ ସଂସ୍ଥାରେ ଆବେଦନ କରାଯାଉ ନଥିବା ବେଳେ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଟେଣ୍ଡର ଫିକ୍ସିଙ୍ଗ ପ୍ରୋତ୍ସାହନ ପାଇଁ ଠିକାଦାର ସଙ୍ଘ ସହିତ ଷଡଯନ୍ତ୍ର କରି ସମସ୍ତ ୧୬ଗୋଟି କାର୍ଯ୍ୟକୁ ନିର୍ଦ୍ଧାରିତ ଅଟକଳ ମୂଲ୍ୟ ଅର୍ଥରାଶିରେ ବିଡିଙ୍ଗ କରାଇଥିଲେ।

ଜଣେ ମଧ୍ୟ କେହି ଠିକାସଂସ୍ଥା ୧୪.୯୯କମ ମୂଲ୍ୟ ତାଙ୍କ ଟେଣ୍ଡର ପେପରରେ ଉଲ୍ଲେଖ କରିନଥିବା ନିର୍ବାହୀ ଅଧିକାରୀଙ୍କ ଭୂମିକା ସନ୍ଦେହଜନକ ଥିବା ଅଭିଯୋଗ ଫର୍ଦ୍ଧରେ ଲେଖି କଂଗ୍ରେସ ନେତା ଶ୍ରୀ ଦାଶ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ଏପରିକି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ଠିକାଦାରମାନଙ୍କୁ ସେମାନଙ୍କ ଇମେଲ ଅନିଚ୍ଛା ସତ୍ୱେ ସେମାନଙ୍କୁ ଲଟେରୀ ଚୟନ ପ୍ରକ୍ରିୟାରୁ ବାଦ ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ଟେଣ୍ଡରଧାରୀ ଯଦି ଲଟେରୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଅନିଛୁକ ଏବେ ସେ ବ୍ୟକ୍ତିଗତ ହାଜର ହୋଇ ଲିଖିତ ଭାବେ ଜଣାଇବା ନିୟମ ଥିଲାବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି ଯାହାକି ତାଙ୍କ ବିରୁଦ୍ଧରେ ଫୌଜଦାରୀ ମୋକଦ୍ଦମା ରୁଜ୍ଜୁ ହେବା ପାଇଁ ରାସ୍ତା ଉନ୍ମୁକ୍ତ ରହିଥିବା ଶ୍ରୀ ଦାଶ କହିଛନ୍ତି।
କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କ ପଦମର୍ଯ୍ୟାଦା ଅପବ୍ୟବହାର କରି ପ୍ରାୟ ଅଢେଇ କୋଟି ଟଙ୍କାର ଠିକାକାର୍ଯ୍ୟକୁ ଟେଣ୍ଡର ଫିକ୍ସିଙ୍ଗ କରାଇ ରାଜ୍ୟ ରାଜକୋଷରୁ ପ୍ରାୟ ୪୦ଲକ୍ଷ ଟଙ୍କା କ୍ଷତି ପହଞ୍ଚାଇଛନ୍ତି। ସମ୍ପୂର୍ଣ୍ଣ ଅନଲାଇନ ଟେଣ୍ଡର ପ୍ରକ୍ରିୟାରେ ଯଦି ଠିକାଦାର ଚୟନ କରାଯାଇ ଥାନ୍ତା ତେବେ ସରକାରଙ୍କୁ ପ୍ରାୟ ୪୦ଲକ୍ଷ ଟଙ୍କା ହରିଲୁଟ ହୋଇ ନଥାନ୍ତା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ଏହାର ଉପଯୁକ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ପ୍ରଦାନ କରନ୍ତୁ ଏବଂ ତଦନ୍ତ ରିପୋର୍ଟ ଆସିବା ଯାଏଁ ଏହି ୧୬ ଗୋଟି କାର୍ଯ୍ୟର କାର୍ଯ୍ୟାଦେଶ ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଶ୍ରୀ ଦାଶ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏନେଇ ନୟାଗଡ଼ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଯୋଗାଯୋଗ ସମ୍ଭବପର ହୋଇନଥିଲା।
