ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଆଜି ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଛି। ଗୋଲେଇ ଛକସ୍ଥିତ ଜିଲ୍ଲା ଗଠନର ଅନ୍ୟତମ ପୁରୋଧା, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ବେହେରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ସ୍ମୃତି ଚାରଣ ସଭାରେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଏବଂ ବିଭିନ୍ନ ୱାର୍ଡର କାଉନସିଲରମାନେ ରୋଟାରୀ କ୍ଲବର ସଦସ୍ୟଙ୍କ ସହ ସାମିଲ ହୋଇଥିଲେ। ଏହି ଅବସରରେ ରୋଟାରୀ କ୍ଲବ୍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯାଇଥିଲା। ନୟାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ପ୍ରତିମୂର୍ତ୍ତି ସହରର ଏକ ପ୍ରମୁଖ ସ୍ଥାନରେ ସ୍ଥାପନ କରିବାକୁ ଦାବି ହୋଇଛି।

“ବିଜୁ ବାବୁଙ୍କ ଅବଦାନ ନୟାଗଡ଼ ପାଇଁ ଅତୁଳନୀୟ। ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେଲେ ଏହା ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟୀ ହେବ।” – ବୋଲି ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ମତପ୍ରକାଶ କରାଯାଇଛି ।
ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଏହି ଦାବିକୁ ସମ୍ପୂର୍ଣ୍ଣ ସମର୍ଥନ କରିବା ସହ ଏହି ପ୍ରସ୍ତାବକୁ ଉପଯୁକ୍ତ ସରକାରୀ ଫୋରମରେ ଉପସ୍ଥାପନ କରି ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମ୍ୟୁନିସିପାଲଟି ଅଧ୍ୟକ୍ଷା ମଧ୍ୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ନୟାଗଡ଼ ରୋଟାରୀ କ୍ଲବ ଉପସଭାପତି ମଦନମୋହନ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଆଜିର ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ସଂପାଦକ ଅବିନାଶ ସାହୁ, ଗୋଦାବରୀଶ ସାହୁ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଜି ରଶ୍ମିରାଜ୍, ଶ୍ରୀକୁମାର ରଥ, ମିହିର ରଞ୍ଜନ ନାୟକ, ବାସୁଦେବ ସାହୁ, ଦିଲ୍ଲିପ ମିଶ୍ର, ଭାଗିରଥି ସାହୁ, ନିରଞ୍ଜନ ପାତ୍ର, ପ୍ରବୀର ପୃଷ୍ଟି ଏବଂ ଧିରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

