ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ (ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଅବକାରୀ ବିଭାଗ) ଭାସ୍କର ଜ୍ୟୋତି ଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ କରିଛନ୍ତି। ଜିଲ୍ଲାପାଳ ମଧୁମିତା ରଥଙ୍କ ସହ ମିଶି ସେ ଦଶପଲ୍ଲା ଓ ଆଖପାଖ ଅଞ୍ଚଳର ଏକାଧିକ ପ୍ରକଳ୍ପ ସମୀକ୍ଷା କରିଛନ୍ତି।
ସଚିବ ଶ୍ରୀ ଶର୍ମା ଟାଙ୍ଗିଆପଲ୍ଲୀ ଆଶ୍ରମ ବିଦ୍ୟାଳୟ, ଆହାର କେନ୍ଦ୍ର, ଜୋତା ନିର୍ମାଣ ୟୁନିଟ୍ ଏବଂ ବହୁମୁଖୀ ଭବନ ପରିଦର୍ଶନ କରି କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ଦଶପଲ୍ଲା ଏନଏସି ଅଞ୍ଚଳର ହରିଡ଼ାବାଡି ଅଙ୍ଗନବାଡି କେନ୍ଦ୍ର ଓ ଟାକେରା ପାୱାର ସବ୍ଷ୍ଟେସନ୍ ସ୍ଥଳ ବୁଲି ଦେଖିଥିଲେ। ଏହି ସମୟରେ ଏଡିଏମ ବିଜୟାନନ୍ଦ ନାୟକ, ସିଡିଓ ଲଗ୍ନଜିତ ରାଉତ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରମୁଖ ଉପସ୍ଥିତ ଥିଲେ।
ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଚିବ ବିଭିନ୍ନ ବିଭାଗର କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ନିମ୍ନଲିଖିତ ଦିଗ ଉପରେ ଗୁରୁତ୍ୱ ଦେଇଥିଲେ।
ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ, ସିଏମ-ବାଇ ସାଇକେଲ ଯୋଜନା, ମଧ୍ୟାହ୍ନ ଭୋଜନ ଏବଂ ସ୍କୁଲରୁ ପାଠ ଛାଡୁଥିବା (Drop-out) ପିଲାଙ୍କ ସଂଖ୍ୟା ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ରାସ୍ତା ସମ୍ପ୍ରସାରଣ ଓ ବିଶେଷ କରି ଛାମୁଣ୍ଡିଆ ରାସ୍ତା କାର୍ଯ୍ୟର ରିପୋର୍ଟ ସନ୍ଧ୍ୟା ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଓ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିଜ କାର୍ଯ୍ୟରେ ଅବହେଳା ନକରିବାକୁ ତାଗିଦ୍ କରିଛନ୍ତି। ବିଦ୍ୟୁତ୍, ଯୋଗାଣ, କୃଷି ଓ ମତ୍ସ୍ୟ ଚାଷ ବିଭାଗର କାର୍ଯ୍ୟାବଳୀର ମଧ୍ୟ ବିସ୍ତୃତ ସମୀକ୍ଷା କରାଯାଇଛି।
ଏହି ବୈଠକରେ ସିଡିଏମଓ ଡାକ୍ତର ନିଳୀମା ଲାକ୍ରା, ଅତିରିକ୍ତ ଏସପି ସୁବାସ ଚନ୍ଦ୍ର ପଣ୍ଡା, ଏଡିଏମ ରୋଜିନା ଦାସଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ। ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସଚିବ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
