ପରୀକ୍ଷା ନୋଟିସ୍ ପ୍ରତ୍ୟାହାର, ଏପ୍ରିଲ ଶେଷ ସୁଦ୍ଧା ସରିବ ସିଲାବସ୍
ନୟାଗଡ଼, (ନୟାଗଡ଼ ଦର୍ପଣ): ସିଲାବସ୍ ଶେଷ ନହୋଇ ପରୀକ୍ଷା ଘୋଷଣାକୁ ବିରୋଧ କରି ଆଜି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। କଲେଜ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ବିରୋଧରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ କରିବାରୁ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ ରାଜରାସ୍ତାରେ ବସି ନୟାଗଡ଼ ଓଡ଼ଗାଁ ରାସ୍ତାକୁ ଅବରୋଧ କରିଥିଲେ। ପୋଲିସ୍ ସେମାନଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧକୁ ହଟାଇଥିଲେ। କଲେଜ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ତାଙ୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଏବଂ କଲେଜ ପ୍ରିନ୍ସିପାଲଙ୍କ ସହ ଆଲୋଚନା କରିଥିଲେ। ପରୀକ୍ଷା ନୋଟିସକୁ ପ୍ରତ୍ୟାହାର କରିବା ପାଇଁ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମତୀ ଦାସ୍। ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ସିଲାବସ୍ ଶେଷ କରିବାକୁ ବିଭାଗୀୟ ମୁଖ୍ୟଙ୍କୁ ପରାମର୍ଶ ଦେବା ସହ ସମସ୍ତଙ୍କ ସହ ଆଲୋଚନା କରି ପରୀକ୍ଷା ତାରିଖ ଧାର୍ଯ୍ୟ କରିବାକୁ ପ୍ରିନ୍ସିପାଲଙ୍କୁ ପରାମର୍ଶ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ।
