ନୟାଗଡ଼,(ନୟାଗଡ଼ ଦର୍ପଣ): ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନ କ୍ରମେ ଜାଳେଣି ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ସ୍ଥାନୀୟ ଓଡଗାଁ ଛକ ଠାରେ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିତ୍ୟବ୍ୟବହାର୍ଯ୍ୟ ଗ୍ୟାସ ସିଲିଣ୍ଡର ପିଛା ୬୦ଟଙ୍କା ବୃଦ୍ଧି କରି ହାଣ୍ଡିଶାଳରେ ଚଡକ ପକାଇଛନ୍ତି ବୋଲି ଡିସିସି ସଭାପତି ଶ୍ରୀ ଦାଶ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃଟିପୂର୍ଣ୍ଣ ବିଦେଶନୀତି ପାଇଁ ଦେଶବ୍ୟାପି ଗ୍ୟାସ ସଙ୍କଟ ଦେଖାଦେଇଛି। ଗତକାଲି ବିଧାନସଭାରେ କଂଗ୍ରେସ ବିଧାୟକମାନେ ରାଜ୍ୟରେ ଗ୍ୟାସ ସଙ୍କଟ ଏବଂ କଳାବଜାରି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି ଘେରିବାରୁ ସରକାରଙ୍କ ଚାପରେ ଜିଲ୍ଲାପାଳମାନେ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାମାନଙ୍କରେ ପର୍ଯ୍ୟାପ୍ତ ଗ୍ୟାସ ମହଜୁଦ ଥିବା କହିଥିବା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା ରହିଛି। ସମଗ୍ର ଜିଲ୍ଲାରେ ପ୍ରତ୍ୟେକ ଗ୍ୟାସ ବିତରକ ସଂସ୍ଥା ସାମ୍ନାରେ ଲୋକେ ଖାଲି ସିଲିଣ୍ଡର ଧରି ଲମ୍ବା ଲାଇନ ଲଗାଇ ଥିଲେ ମଧ୍ୟ ଗ୍ୟାସ ମିଳି ପାରୁନାହିଁ ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ। ଗ୍ୟାସ ସିଲିଣ୍ଡର ପିଛା କଳାବଜାରୀ ମାନେ ୧୬୦୦ଟଙ୍କା ନେଉଥିବାରୁ ଛୋଟଛୋଟ ଚା, ଜଳଖିଆ, ଚାଟ ଗୁପଚୁପ ଦୋକାନୀମାନେ ଘୋର ପ୍ରଭାବିତ ହେଉଛନ୍ତି। ଜିଲ୍ଲା ପ୍ରଶାସନ ଯଦି ଏହି ପ୍ରାୟୋଜିତ କଳାବଜାରୀ ପ୍ରତି ସଜାଗ ନ ରୁହନ୍ତି ତେବେ ଆଗାମୀ ଦିନରେ ଭୟଙ୍କର ଗ୍ୟାସ ସଙ୍କଟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଡିସିସି ସଭାପତି ଶ୍ରୀ ଦାଶ କହିଛନ୍ତି। ଡିସିସି ଉପସଭାପତି ବିଭୁପ୍ରସାଦ ମିଶ୍ର, ଅମଜାଦ ଖାଁ, ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରସାଦ ପରିଡା, ପୀତବାସ ଖୁଣ୍ଟିଆ, କୂଳେଶ ଚନ୍ଦ୍ର ମହାନ୍ତି, ସତ୍ୟନାରାୟଣ ସୁରଜଗଦେବ, ଜିଲ୍ଲା ମନରେଗା ଆନ୍ଦୋଳନ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାନ୍ତ, ନୟାଗଡ଼ ମୁନିସିପାଲିଟି ସଭାପତି ରାଜକିଶୋର ଜେନା, ନୟାଗଡ଼ ବ୍ଲକ ସଭାପତି ହାସୀମ ଖାଁ, ନୂଆଗାଁ ବ୍ଲକ ସଭାପତି ଅଶୋକ କୁମାର ନାୟକ, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ମହିଳା କଂଗ୍ରେସ ନେତ୍ରୀ ସୁଜାତା ନାଏକଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା, ଯୁବ ଛାତ୍ର ମହିଳା ନେତୃବୃନ୍ଦ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଜାଳେଣି ଗ୍ୟାସ ଦରବୃଦ୍ଧି ଏବଂ କଳାବଜାରୀ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
