ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବନ ବିଭାଗର ଆୟୋଜନରେ ଏବଂ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ ସହ ବଜ୍ରକୋଟ ଗ୍ରାମବାସୀଙ୍କ ସହଯୋଗରେ ପବିତ୍ର ଆସୁରକୁମାରୀ ପୀଠ ପରିସରରେ “ପ୍ଲାଷ୍ଟିକ ମୁକ୍ତ ପିକନିକ୍ ସ୍ପଟ୍ ସଚେତନତା କାର୍ଯ୍ୟକ୍ରମ” ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବଜ୍ରକୋଟ ଗ୍ରାମ ପଞ୍ଚାୟତର ସରପଞ୍ଚ ବନିତା ବଳିଆରସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକ ପ୍ରଦୂଷଣର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ ଏବଂ ଆସୁରକୁମାରୀ ପୀଠକୁ ପ୍ଲାଷ୍ଟିକ ମୁକ୍ତ କ୍ଷେତ୍ର ଭାବେ ଗଢ଼ି ତୁଳିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମରେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ରାଣା ପ୍ଲାଷ୍ଟିକ ବଦଳରେ କାଗଜ, କପଡ଼ା ଓ ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ଏବଂ ଏହି ସଚେତନତା କାର୍ଯ୍ୟକ୍ରମ କେବଳ ଏକ ଦିନର ଅଭିଯାନ ନୁହେଁ, ଏହା ଏକ ଆନ୍ଦୋଳନ ହେଉ, ଦୀର୍ଘ ଦିନର ଅଭିଯାନ ହେଉ ବୋଲି ମତ ରଖିଥିଲେ। ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ, କର୍ମଚାରୀବୃନ୍ଦ, ଛାତ୍ରଛାତ୍ରୀମାନେ ଏବଂ ଆଙ୍ଗନୱାଡ଼ି କର୍ମୀମାନେ ଉପସ୍ଥିତ ରହି ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରସାର କରିଥିଲେ।

ଆସୁରକୁମାରୀ କମିଟିର ସମସ୍ତ ସଦସ୍ୟ, ବଜ୍ରକୋଟ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏବଂ ଗ୍ରାମବାସୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବନ ବିଭାଗ ଅଧିକାରୀ ସିଦ୍ଧୁଚରଣ ସିଂହ ଓ ଫରେଷ୍ଟର ଶ୍ରୀ ସଞ୍ଜୀବ କୁମାର ବେହେରାଙ୍କ ନେତୃତ୍ୱରେ ବନ ବିଭାଗର ରଞ୍ଜନା ପରିଡା, ଅଶୋକ ତୋଟାଳ, ପପୁ ପ୍ରଧାନ ଙ୍କ ସହ ସମସ୍ତ କର୍ମଚାରୀବୃନ୍ଦ ସୁଚାରୁ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମର ଶେଷରେ ସମସ୍ତ ଅଂଶଗ୍ରହଣକାରୀ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା ଓ ପିକନିକ୍ ସ୍ପଟ୍କୁ ସ୍ୱଚ୍ଛ ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ ଏବଂ ଅସୁରକୁମାରୀ ପୀଠର ସଫେଇ କରିଥିଲେ । ସମଗ୍ର ପରିବେଶ ସଚେତନତା ଓ ସାମୂହିକ ଦାୟିତ୍ୱର ବାର୍ତ୍ତାରେ ମୁଖରିତ ହୋଇଉଠିଥିଲା।
