ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ରାମଚନ୍ଦ୍ର ପଣ୍ଡା ମେମୋରିଆଲ ଟ୍ରଷ୍ଟ ଓ ସ୍କୁଲ ପରିଚାଳନା କମିଟିର ମିଳିତ ଆନୁକୁଲ୍ୟରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସ୍ବର୍ଗତ ପଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କଲାପରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ପ୍ରଧାନଙ୍କ ସଭାପତିତ୍ବରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ବକ୍ତାମାନେ ରାମଚନ୍ଦ୍ର ପଣ୍ଡାଙ୍କ ଜୀବନୀ ସହିତ ଗାଁ’ ପାଇଁ ତାଙ୍କର ତ୍ୟାଗପୁତ୍ତ ଜୀବନର ଅବଦାନ ସହିତ ସରକାରୀ ଚାକିରୀକୁ ପରିତ୍ୟାଗ କରି ଗାଁରେ ଷାଠିଏ ଦଶକରେ ହାଇସ୍କୁଲ ପ୍ରତିଷ୍ଠା କରି ଶିକ୍ଷାର ଆଲୋକ ଜାଳିବା ସହିତ ଗାଁରେ ଡାକ୍ତରଖାନା ଓ କୃଷିର ବିକାଶ ପାଇଁ ମହାନ୍ତିପଲ୍ଲୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପ୍ରଭୃତି ଉଦ୍ୟମ କରି ସଫଳ ହୋଇଥିବା କଥା ଆଲୋଚନା କରିଥିଲେ।
ହାଇସ୍କୁଲ ଥିବାଯାଏଁ ରାମଚନ୍ଦ୍ର ପଣ୍ଡା ଆମର ହୋଇ ରହିବେ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ତାଙ୍କ ଜୀବନ ଆଦର୍ଶକୁ ଅନୁକରଣ କରି ଗାଁ’ ମାଟି ପାଇଁ କିଛି କରିପାରିଲେ ତାହା ହେବ ସ୍ବର୍ଗତ ପଣ୍ଡାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଅତିଥିମାନେ କହିଥିଲେ ଓ ଏଥିପାଇଁ ଛାତ୍ର ଓ ଯୁବ ଶକ୍ତି ଯେଉଁମାନେ ଆଗାମୀ ଦିନର ଭବିଷ୍ୟତ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଥିଲା। ଉକ୍ତ ସଭାରେ ନରସିଂହପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କୁଳମଣି ବାରିକି ମୁଖ୍ୟ ଅତିଥି, ଲେଖକ ହାଡିବନ୍ଧୁ ମହାଖୁଡ଼ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ସରପଞ୍ଚ ସସ୍ମିତା ପ୍ରଧାନ, ସମ୍ମାନିତ ବକ୍ତା ବରିଷ୍ଠ ଆଇନଜୀବୀ ଶରତ ଚନ୍ଦ୍ର ବେହେରା, ସଙ୍ଗୀତଜ୍ଞ ଶରତ କୁମାର ସାହୁ, ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରଫୁଲ୍ଲ କୁମାର ନାୟକ, ଅବସର ପ୍ରାପ୍ତ ଶିକ୍ଷକ ଯୁଧିଷ୍ଟିର ପଣ୍ଡା ଓ ରାମଚନ୍ଦ୍ର ପଣ୍ଡା ମେମୋରିଆଲ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଜଗନ୍ନାଥ ପରିଡ଼ା ଯୋଗଦେଇଥିବା ବେଳେ ରାମଚନ୍ଦ୍ର ପଣ୍ଡା ମେମୋରିଆଲ ଟ୍ରଷ୍ଟର ସଭାପତି ସରୋଜ କୁମାର ପଣ୍ଡା ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ଶିକ୍ଷକ ବିଶ୍ବମ୍ବର ପରିଡ଼ା ସଭାକୁ ସଂଯୋଜନା କରିଥିଲେ । ଏହି ସଭାରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସ୍ଥାନୀୟ ମଧ୍ୟଖଣ୍ଡ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଭଦ୍ରବ୍ୟକ୍ତିମାନେ ଯୋଗଦେଇଥିଲେ।
