ନୟାଗଡ଼, (ନୟାଗଡ଼ ଦର୍ପଣ): ଜନ୍ମ ହେବା ମାତ୍ରେ ସମସ୍ତେ “କୁଣ୍ଡଳୀ” ସାଙ୍ଗରେ ନେଇ ଆସିଥାନ୍ତି l ତେବେ ସେଇ କୁଣ୍ଡଳୀ କେତେବେଳେ କାହା ଭାଗ୍ୟରେ କେମିତି ଥାଏ ତାହା ଏକ ଚଳଚ୍ଚିତ୍ର ମାଧ୍ୟମରେ ଆଗାମୀ ଦିନରେ ଦେଖିବେ ଓଡ଼ିଆ ଦର୍ଶକ l “କୁଣ୍ଡଳୀ” ଏକ ଓଡ଼ିଆ ସସ୍ପେନ୍ସ ତଥା ହରର୍ ଚଳଚ୍ଚିତ୍ର l ପ୍ରଥମଥର ପାଇଁ ସସ୍ପେନ୍ସ ତଥା ହରର୍ ଚଳଚ୍ଚିତ୍ର ଭାବେ ବୋଉ ବୁଟୁ ଭୂତ କୁ ଦର୍ଶକ ଢେର ଭଲ ପାଇବା ଦେଇଥିଲା ଏବଂ ବ୍ୟବସାୟିକ ସଫଳତା ମଧ୍ୟ ପାଇଥିଲା l କୁଣ୍ଡଳୀ ଏକ ବ୍ୟୟ ବହୁଳ ଭରପୁର ଭିଏଫଏକ୍ସ ବ୍ୟବହୃତ ଚଳଚ୍ଚିତ୍ର ଭାବେ ନିର୍ମାଣ ହେବ l ଯାହା ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି କଟକ ମାଆ ଧାକୁଲେଇ ପୀଠରେ ଅନୁଷ୍ଠିତ “କୁଣ୍ଡଳୀ” ନାମକ ଏକ ନୂତନ ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ଅବସରରେ କହିଛନ୍ତି ନିର୍ଦ୍ଦେଶକ ରୋହନଜିତ ଦାଶ l
ବେଶ କିଛି ବର୍ଷ ହେଲା ମୌଳିକ କାହାଣୀକୁ ନେଇ ଓଡିଆ ଚଳଚ୍ଚିତ୍ର ନିର୍ମାଣର ଧାରା ବଦଳି ଥିବାରୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଢେର ଲୋକପ୍ରିୟତା ବଢିଛି l ସେହି ଲୋକପ୍ରିୟତା ହାସଲ ଆଶାରେ “କୁଣ୍ଡଳୀ” ନାମକ ଏକ ନୂତନ ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ମାଆ ଧାକୁଲେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି l
ଏହି ଶୁଭ ମହୁରତ କାର୍ଯ୍ୟକ୍ରମରେ ନବାଗତା ପ୍ରଯୋଜିକା ବିଜୟଲକ୍ଷ୍ମୀ ନାୟକଙ୍କ ସମେତ ନବାଗତ ନିର୍ଦ୍ଦେଶକ ରୋହନଜିତ ଦାଶ, ସଙ୍ଗୀତ ନିର୍ଦ୍ଦେଶକ ଜ୍ଞାନ ବେହେରା, କାର୍ଯ୍ୟକାରୀ ପ୍ରଯୋଜକ ଶୁଭ୍ରାଂଶୁ ଶେଖର ମହାପାତ୍ର, ବରିଷ୍ଠ ଚଳଚ୍ଚିତ୍ର ପ୍ରଯୋଜକ ତଥା ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଯୁବ ପ୍ରଯୋଜକ ହିମାଦ୍ରୀ ତନୟ ଦାସ, ଶକ୍ତି ବରାଳ, ଋଷି ପଟ୍ଟନାୟକ, କେ.କେ, ଭକ୍ତି ଦାସ, ନବାଗତ ନାୟକ ମୃଣ୍ମୟ, ନାୟିକା, ଅନନ୍ୟା ଦାଶ, ଅଭିନେତା ଜ୍ୟୋତି ନାୟକ, ସନ୍ତୁ ନିଜେ ଏବଂ ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ, କାହାଣୀକାର ତଥା ସଂଳାପକାର ଶୁଭ୍ରାଂଶୁ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ l ଥଣ୍ଡର ପିକସେଲ୍ ଫିଲ୍ମସ ଓ ଆମର ମ୍ୟୁଜିକ୍ର ମିଳିତ ସହଯୋଗରେ ନିର୍ମାଣ ହେବ କୁଣ୍ଡଳୀ l ନାୟକ ଜ୍ୟୋତି ନାୟକ, ନବାଗତ ମୃଣ୍ମୟ, ନାୟିକା ଅନନ୍ୟା ଦାଶ ଏବଂ ଜସ୍ମିନ ମୁଖ୍ୟ ଚରିତ୍ର ରେ ଅଭିନୟ କରୁଛନ୍ତି l
ତେବେ ବଢୁଛି ନୂତନ ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସଂଖ୍ୟା, ମୌଳିକ କାହାଣୀକୁ ନେଇ ବଦଳିଛି ଉନ୍ନତମାନର ନିର୍ମାଣ ଶୈଳୀ l କୁଣ୍ଡଳୀ ଖୁବ ଶୀଘ୍ର ସୁଟିଂ ଫ୍ଲୋର କୁ ଯିବ ଏବଂ ରଜରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛନ୍ତି l
ଓଡ଼ିଆ ଫିଲ୍ମ “କୁଣ୍ଡଳୀ”ର ଶୁଭ ମହୁରତ
