ମନରେଗା ଯୋଜନରୁ ମହାତ୍ମା ଗାନ୍ଧଙ୍କ ନାମ ଏବଂ ନିୟମ ପରିବର୍ତ୍ତନ କରିଥିବା ବିଜେପି ସରକାର ବିରୁଦ୍ଧରେ କଂଗ୍ରେସ ବିକ୍ଷୋଭ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଜେପି ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗାରଣ୍ଟି ଆଇନ (MGNREGA) କୁ ରଦ୍ଦ କରିବା ପାଇଁ ଏକ ବିଲ୍ ଆଣି ଏକ ଭୟାବହ ଏବଂ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରିଛି। ଏହା କୌଣସି ସାଧାରଣ ବିଧାନମୂଳକ ପ୍ରକ୍ରିୟା ନୁହେଁ। ଏହା ଏକ ରାଜନୈତିକ ଚକ୍ରାନ୍ତ, ଯାହାର ଉଦ୍ଦେଶ୍ୟ ଏକ ଐତିହାସିକ, ଅଧିକାର-ଆଧାରିତ ଜନକଲ୍ୟାଣ ଆଇନକୁ ଦୁର୍ବଳ କରିବା ଏବଂ ଭାରତର ସବୁଠାରୁ ପରିଚିତ କଲ୍ୟାଣକାରୀ ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ଓ ମୂଲ୍ୟବୋଧକୁ ମିଟାଇଦେବା ଭଳି ହୀନ ଉଦ୍ୟମ କରି ବିଜେପି ସରକାର ସଂସଦ ଶେଷ ଦିବସରେ ଗୃହରେ ଆଲୋଚନା କାରନଯାଇ ତରବରିଆ ଭାବେ ତାଳି ମାରି ଗୃହୀତ କରାଯାଇ ଥିବାରୁ ଆଜି ପିସିସି ଆହ୍ୱାନ କ୍ରମେ ମଧ୍ୟାହ୍ନ ରେ ଗାନ୍ଧଙ୍କୁ ପୁଷ୍ପମାଲ୍ୟ ଦେଇ କଂଗ୍ରେସ କର୍ମୀ ମାନେ ଶୋଭାଯାତ୍ରାରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲପାଙ୍କୁ ଦାବୀ ପତ୍ର ଦେଇଥିଲେ।

MGNREGA ଜନସାଧାରଣଙ୍କ ସଂଘର୍ଷରୁ ଜନ୍ମ ନେଇଥିଲା ଏବଂ “ପ୍ରତି ହାତକୁ କାମ ଦିଅ, କାମର ପୂରା ଦାମ ଦିଅ” ବାଣୀକୁ ସାକାର କରିଥିଲା। ଏହା ଗ୍ରାମୀଣ ଭାରତର ଲୋକମାନଙ୍କୁ କାମ ମାଗିବାର ଆଇନଗତ ଅଧିକାର ଦେଇଥିଲା, ସମଗ୍ର ଗ୍ରାମୀଣ ଭାରତରେ ୧୦୦ ଦିନର ରୋଜଗାର ନିଶ୍ଚିତ କରିଥିଲା, ବିକେନ୍ଦ୍ରୀକୃତ ଶାସନକୁ ଶକ୍ତିଶାଳୀ କରିଥିଲା, ମହିଳା ଓ ଜମିହୀନମାନଙ୍କୁ ସଶକ୍ତ କରିଥିଲା ଏବଂ ଶ୍ରମର ଗରିମାକୁ ସୁରକ୍ଷିତ କରିଥିଲାବୋଲି ଡିସିସି ସଭାପତି ରଣଜିତ ଦାଶ କହିଥିଲେ।



MGNREGAକୁ କେନ୍ଦ୍ର ସରକାର କିପରି ଦୁର୍ବଳ କରୁଛନ୍ତି:-
୧. ମହାତ୍ମା ଗାନ୍ଧୀଙ୍କ ନାମ ଅପସାରଣ
ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ଏକ ଆପତ୍ତିଜନକ ଭୟଙ୍କର ଆଦର୍ଶଗତ ନିଷ୍ପତ୍ତି। ଗାନ୍ଧୀଜୀ ଶ୍ରମର ଗରିମା, ସାମାଜିକ ନ୍ୟାୟ ଓ ଗରିବମାନଙ୍କ ପ୍ରତି ରାଜ୍ୟର ନୈତିକ ଦାୟିତ୍ୱର ପ୍ରତୀକ ଥିଲେ। ଏହି ନାମ ପରିବର୍ତ୍ତନ ଗାନ୍ଧୀମୂଲ୍ୟ ପ୍ରତି ଅସ୍ୱୀକୃତିକୁ ପ୍ରତିବିମ୍ବିତ କରେ ଏବଂ ଜନକେନ୍ଦ୍ରିକ କଲ୍ୟାଣ ଆଇନରୁ ଜାତିର ପିତାଙ୍କ ସମ୍ପର୍କକୁ ଲିଭାଇବାର ଏକ ପ୍ରୟାସ।

୨. ରୋଜଗାର ଗାରଣ୍ଟିର ବିନାଶ*
ପ୍ରସ୍ତାବିତ ନୂଆ ବିଲ୍ MGNREGA ଦ୍ୱାରା ଦିଆଯାଇଥିବା କାମର ଆଇନଗତ ଅଧିକାରକୁ ସମାପ୍ତ କରେ। ଏହା ଚାହିଦା-ଆଧାରିତ ଆଇନଗତ ଅଧିକାରକୁ ହଟାଇ, କେନ୍ଦ୍ର ସରକାର ନିୟନ୍ତ୍ରିତ ଏକ ଯୋଜନାରେ ପରିଣତ କରୁଛି, ଯେଉଁଥିରେ କୌଣସି କାର୍ଯ୍ୟକାରୀ ରୋଜଗାର ଗାରଣ୍ଟି ନାହିଁ, ସାର୍ବଜନୀନ ଆବର୍ତ୍ତନ ନାହିଁ ଏବଂ ଲୋକମାନେ ଆବଶ୍ୟକ ସମୟରେ କାମ ପାଇବେ ବୋଲି କୌଣସି ନିଶ୍ଚୟତା ନାହିଁ। ଅର୍ଥାତ୍, କାମର ଅଧିକାରକୁ ନଷ୍ଟ କରାଯାଉଛି।

୩. କେନ୍ଦ୍ର ସରକାରଙ୍କ ଦାୟିତ୍ୱ ପ୍ରତ୍ୟାହାର*
MGNREGA ରେ ମଜୁରୀ ଅର୍ଥାୟନର ପ୍ରାଥମିକ ଦାୟିତ୍ୱ କେନ୍ଦ୍ର ସରକାରଙ୍କ ଉପରେ ଥିଲା, ଯାହା ଏହାକୁ ଏକ ସତ୍ୟ ଜାତୀୟ ରୋଜଗାର ଗାରଣ୍ଟି କରିଥିଲା। ନୂଆ ବିଲ୍ ଏହି ଦାୟିତ୍ୱକୁ ପ୍ରତ୍ୟାହାର କରି ଭାର ରାଜ୍ୟମାନଙ୍କ ଉପରେ ଛାଡ଼ୁଛି, ଅନୁଦାନକୁ ସୀମିତ କରୁଛି ଏବଂ ଚାହିଦା-ଆଧାରିତ କାର୍ଯ୍ୟକ୍ରମର ମୂଳଭିତ୍ତିକୁ ଦୁର୍ବଳ କରୁଛି।

ଏହା ସଂଘୀୟ ବ୍ୟବସ୍ଥାକୁ ଆଘାତ କରେ ଏବଂ ଆର୍ଥିକ ସଂକଟ ଯୋଗୁଁ ରାଜ୍ୟମାନଙ୍କୁ କାମ ଚାହିଦା ଦମନ କରିବାକୁ ବାଧ୍ୟ କରେ।
ଏହି ବିକ୍ଷୋଭ କାର୍ଯ୍ୟକ୍ରରେ ରଣପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଭୂପ୍ରସାଦ ମିଶ୍ର, ବରିଷ୍ଠ ନେତା ବିଶ୍ୱନାଥ ବରାଡ଼, ନକୁଳ ନାୟକ, ସୁକାନ୍ତ ଶତପଥି,ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ଶତ୍ରୁଘ୍ନ ପାଇକରାୟ, ଅଶୋକ ନାୟକ, ବୁଲୁ ପରିଡା, ବିନୋଦିନୀ ମହାନ୍ତି, ରମେଶ ପ୍ରଧାନ, ସନ୍ତୋଷ ସାହୁ, ପୂର୍ଣ୍ଚଚନ୍ଦ୍ର ଶାନ୍ତ,ବସନ୍ତ କର,ମଦନ ବିଶୋଇ, କବିରାଜ ବରାଡ଼ ବୁଲୁ ପଟ୍ଟସାଣି, ଯୁବ କଂଗ୍ରେସ ନେତା ପ୍ରତୀକ ମହାପାତ୍ର, ବସନ୍ତ ମହାଖୁଡ଼,ଛାତ୍ର କଂଗ୍ରେସ ନେତା ଦିଲ୍ଲୀପ ବିଶୋଇ, ଶିବରଞ୍ଜନ ସାହୁ, ଅମ୍ଲାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ସେବାଦଳ କାର୍ଯ୍ୟକର୍ତା ନବକିଶୋର ସାଥୁଆ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Related posts