ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ପଶ୍ଚିମ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠି ଏପରି ମତବ୍ୟକ୍ତ କରିଥିଲେ। ଶ୍ରୀମତୀ ମିଶ୍ରଙ୍କର ଦୀର୍ଘ ଦିନର ସେବା, ସମର୍ପଣ ତଥା ଶିକ୍ଷା ପ୍ରତି ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବା ସହିତ ପିଲାମାନଙ୍କୁ ଶିଖାଇଥିବା ଶ୍ରମ, ଶୃଙ୍ଖଳା,ମୂଲ୍ୟବୋଧ ଏବଂ ସଠିକ ପଥରେ ଚାଲିବାର ଉପାୟ ସଦାସର୍ବଦା ପିଲାମାନଙ୍କୁ ଆଲୋକମୟ ପଥରେ ଚାଲିବା ପାଇଁ ସାହାଯ୍ୟ କରିବ ବୋଲି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ତଥା ପରିଚାଳନା କମିଟିର ସଦସ୍ୟ ମାନେ ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।

ବରିଷ୍ଠ ଶିକ୍ଷକ ଦେବରାଜ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିପିନ ବିହାରୀ ଦାସ,ପ୍ରଧାନ ଶିକ୍ଷୟିତ୍ରୀ ସ୍ମୃତିଧାରା ମିଶ୍ର, ଜ୍ୟୋତ୍ସ୍ନାବାଳା ଦାଶ,ଲକ୍ଷ୍ମୀଧର ସାହୁ , ପ୍ରମୁଖ ଯୋଗଦାନ କରିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଭାରେ କବି ଗୋପୀନାଥ ସେଠି ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ସତ୍ୟଭାମା ଦେବୀ ସହଯୋଗ କରିଥିଲେ।ଶେଷରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସଂପୃକ୍ତ ବିଦ୍ୟାଳୟ,ବିଭିନ୍ନ ଶିକ୍ଷକ ସଂଗଠନ ଏବଂ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ମାନପତ୍ର, ଉପଢୌକନ ଏବଂ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିିତ କରାଯାଇଥିଲା । ଏହି ଅବସର କାଳୀନ ସଭାରେ ପରିଚାଳନା କମିଟିର ସମସ୍ତ ସଦସ୍ୟ, ନିଉଟାଉନ କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟ ମାନଙ୍କ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ ତଥା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଯୋଗଦାନ କରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେଇଥିଲେ।
