ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ବତ ସାଧକ, କବି, ପ୍ରାବନ୍ଧିକ, ଗାଳ୍ପିକ, ଉପନ୍ୟାସକାର, ନାଟ୍ୟକାର ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ହିନ୍ଦୀ ଆଭାସୀ ଗଳ୍ପ ସଂକଳନ ‘ଆଁସୁ’ ଲୋକାର୍ପିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ଵାରା ଆୟୋଜିତ ଚଳିତ ମାସ ୧୧ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲରେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ, ଆଗ୍ରା ତଥା ଭୁବନେଶ୍ଵର କ୍ଷେତ୍ରୀୟ ଶାଖା ଆନୁକୁଲ୍ୟରେ ଚାଲିଥିବା ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ଶିବିରରେ ଗତକାଲି ମଧ୍ୟାହ୍ଣ ବିରତି କାଳରେ ଉକ୍ତ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପାଠ୍ୟକ୍ରମ ଶିବିରରେ ନୟାଗଡ଼ ଜିଲ୍ଲାର ୬୩ଟି ବିଦ୍ୟାଳୟର ୬୩ ଜଣ ହିନ୍ଦୀ ଶିକ୍ଷକ ପ୍ରଶିକ୍ଷଣ ନେଉଥିଲେ। ଏଥିରେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନର ଭୁବନେଶ୍ଵର କେନ୍ଦ୍ରର ନିର୍ଦ୍ଦେଶକ ତଥା ବୈଜ୍ଞାନିକ ଡ. ରଞ୍ଜନ କୁମାର ଦାଶ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ବକ୍ତାର ଦାୟିତ୍ଵ ତୁଲାଇଥିଲେ ହିନ୍ଦୀ ସାହିତ୍ୟର ପ୍ରଗଳ୍ଭ ବକ୍ତା, ପ୍ରକାଣ୍ଡ ବିଦ୍ଵାନ ପ୍ରଫେସର ଡ.ଚନ୍ଦ୍ର ପ୍ରତାପ ସିଂହ। ମୁଖ୍ୟ ଅତିଥି ରୂପେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ବିଭାଗ ପ୍ରାକ୍ତନ ମୁଖ୍ୟ ପ୍ରଫେସର ଡ. ଗୋବିନ୍ଦ ଚନ୍ଦ୍ର ଦାଶ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସମ୍ବର୍ଦ୍ଧନା ସାହିତ୍ୟ ପରିବାରର ସଭାପତି କବି କୁସୁମ ନିରାକାର ସ୍ବାଇଁ। ମଞ୍ଚ ପରିଚାଳନା କରିଥିଲେ ନାଟ୍ୟକାର କବି ଶରତ ଚନ୍ଦ୍ର ଆଚାର୍ଯ୍ୟ। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ଗାଳ୍ପିକ ଶ୍ରୀ ବରାଡ଼ ଅତିଥି ପରିଚୟ ପ୍ରଦାନ କରିଥିଲେ। ତାଲିମ ନେଉଥିବା ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଂଗୀତ ଗାନ କରାଯାଇ ଅତିଥି ମାନଙ୍କୁ ସ୍ବାଗତ କରାଯାଇଥିଲା। ତପିରେ ଡ.ବରାଡ଼ଙ୍କର ହିନ୍ଦୀ ଭାଷାରେ ପ୍ରଥମ ପୁସ୍ତକ ଆଭାସୀ ଗଳ୍ପ ସଂକଳନ ‘ଆଁସୁ’ ଅତିଥି ମାନଙ୍କର କରକମଳରେ ଉନ୍ମୋଚିତ ହୋଇଥିଲା। ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ‘ରହସ୍ୟ’ ପୁସ୍ତକର ସମୀକ୍ଷା ନିଜେ ମୁଖ୍ୟବକ୍ତା ଡ. ସିଂହ କରିଥିଲେ। ମୁଖ୍ୟବକ୍ତା ଡ. ଦାଶ ଡ. ବରାଡ଼ଙ୍କର ସାରସ୍ବତ ସାଧନାର ପେଡ଼ି ଖୋଲି ତା’ଙ୍କ ପ୍ରିୟ ଶିଷ୍ୟର ଉପଲବ୍ଧିଗୁଡ଼ିକ ସମ୍ପର୍କରେ ସାମ୍ୟକ ସୂଚନା ପ୍ରଦାନ କରିଥିଲେ। ଏଥି ସହିତ ଗଳ୍ପର ସଂଜ୍ଞା ପ୍ରଦାନ କରିବା ଛଳରେ ଶିଷ୍ୟ ଡ.ବରାଡ଼ଙ୍କର ଗଳ୍ପ ସାହିତ୍ୟରେ ଏ ନୂତନ ପ୍ରୟୋଗର ପ୍ରଶଂସା କରି ତାଙ୍କର ଲେଖନୀ ସଶକ୍ତ ହେଉ ବୋଲି ଆଶୀର୍ବଚନ ଦେଇଥିଲେ। ସଭାପତି ନିର୍ଦ୍ଦେଶକ ଡ.ରଞ୍ଜନ କୁମାର ଦାଶ ତାଙ୍କ ଭାଷଣରେ ବର୍ତ୍ତମାନର ଏ ମୋବାଇଲ ଯୁଗରେ ଗଳ୍ପ ବା କ୍ଷୁଦ୍ର ଗଳ୍ପ ପଢ଼ିବା ପାଇଁ ଲୋକଙ୍କ ପାଖରେ ସମୟର ଘୋର ଅଭାବକୁ ଲକ୍ଷ୍ୟ କରି ଏ ଆଭାସୀ ଗଳ୍ପ ସଂଗ୍ରହ ପାଠକ ମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ଓ ସୁଖପାଠ୍ୟ ହେବ ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ପ୍ରଫେସର ଡ. ସିଂହ ଗଳ୍ପ ଗୁଡ଼ିକ ଶିକ୍ଷଣୀୟ ତଥ୍ୟ ଭିତ୍ତିକ ତଥା ଜୀବନର ବିଭିନ୍ନ ସ୍ଥିତିରେ ନିର୍ଣ୍ଣୟରେ ପହଞ୍ଚାଇବାକୁ ସକ୍ଷମ ବୋଲି ମତ ରଖିଥିଲେ। ଶେଷରେ କବି ଶରତ କୁମାର ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ।
