ପରମ୍ପରାର ୩୦ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ସାହିତ୍ୟ ଓ ସଂସ୍କୃତି ପରିଷଦର ୩୦ତମ ସ୍ଵନକ୍ଷତ୍ର ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ସ୍ଥାନୀୟ ନୀଳମାଧବ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହାର ପ୍ରଥମ ଅଧିବେଶନରେ ବରିଷ୍ଠ ଶିଶୁ ସାହିତ୍ୟିକା ବସିରନ୍ ବିବି, ଡ଼. ଗୀତାଞ୍ଜଳି ମହାପାତ୍ର, ଗୀତିକାର ଗୋଦାବରୀଶ ମିଶ୍ର ଯୋଗଦେଇ ବକ୍ତବ୍ୟରେ କହିଥିଲେ ଯେ ପ୍ରତ୍ୟେକ ସତ୍ କବି ସାଧନାରେ ନିର୍ଲିପ୍ତ ଥାନ୍ତି। ଏହି ଅଧିବେଶନରେ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ ହରପ୍ରିୟା ଦ୍ଵିବେଦୀ ଓ ନୀଳମାଧବ ମିଶ୍ର ।

ଦ୍ଵିତୀୟ ଅଧିବେଶନରେ ଅତିଥି ଭାବେ ଉତ୍ତରାଞ୍ଚଳ ପୂର୍ବତନ ରାଜସ୍ବ କମିଶନର ନିରଞ୍ଜନ ସାହୁ ଓ ବରିଷ୍ଠ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ଯୋଗଦେଇ କହିଥିଲେ ଯେ ବେଦ, ଉପନିଷଦ ରାମାୟଣ ଓ ମହାଭାରତ ଚାରିସ୍ତମ୍ଭ ଉପରେ ଆମ ସାହିତ୍ୟ ଗଠିତ ଓ ଗତିଶୀଳ। ଏହି ଅଧିବେଶନରେ କୈଳାସ ଚନ୍ଦ୍ର ତ୍ରିପାଠୀ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ।

ତୃତୀୟ ଅଧିବେଶନରେ ସୌଦାମିନୀ ସ୍ୱାଇଁ, ବିମ୍ବାଧର ସଥୁଆ ଓ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ କହିଥିଲେ ଯେ, ସାହିତ୍ୟିକ ଟିଏ ସର୍ବଦା ଚିନ୍ତାକରେ ଜୀବନରେ ସମାଜର ଚିତ୍ର ହେବା ପାଇଁ । ଏହି ଅଧିବେଶନରେ କବିତା ଗୁଡ଼ିକୁ ସ୍ନିଗ୍ଧାରାଣୀ ପଟ୍ଟନାୟକ ଓ ସମ୍ପଦ କୁମାର ଦାଶ ସଂଯୋଜନା କରିଥିଲେ। ଏହି ଅବସରରେ ପରିଷଦର ମୁଖପତ୍ର ପ୍ରାଚ୍ୟ ପରମ୍ପରା ୨୦୨୫ ଏବଂ ଡ଼. ସୁକାନ୍ତି ମହାନ୍ତିଙ୍କର କବିତା ପୁସ୍ତକ “ଛୋଟ ମୋର ଗାଁ’ଟି କୁ ଅତିଥି ମାନେ ଉନ୍ମୋଚନ କରିଥିଲେ।

ବିଷ୍ଣୁ ପ୍ରସାଦ ମିଶ୍ର, ବିଷ୍ଣୁ ପ୍ରସାଦ ତ୍ରିପାଠୀ, କୌସ୍ତୁଭ ମେହେର ଓ ସୌଦାମିନୀ ସ୍ୱାଇଁଙ୍କୁ ସମ୍ମାନ ସୂଚକ ଡକ୍ଟର ଉପାଧି ପ୍ରଦାନ କରାଯାଇଥିଲା। ଏହା ସହିତ ୨୫୦ ଓଡ଼ିଶୀ ଗୀତ ରଚନା କରିଥିବା ରାଧା ମୋହନ ସାହୁଙ୍କୁ ଓ ଓଡ଼ିଶୀ ସଙ୍ଗୀତ ଗାନ କରୁଥିବା ଡ଼. ଅନୁସୁୟା ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ଼ ସୁକାନ୍ତି ମହାନ୍ତି ଏଥିରେ ସଭାପତିତ୍ବ କରିଥିବା ବେଳେ ଡ଼ ନିର୍ମଳ ଚନ୍ଦ୍ର ଶୂରଦେଓ ଏହାକୁ ପରିଚାଳନା କରିଥିଲେ।

Related posts