ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ଦୋହରାଉଛନ୍ତି ଗୁଡୁପାଙ୍ଗିବାସୀ

ନୂଆଗାଁ,(ନୟାଗଡ଼ ଦର୍ପଣ):- ନୂଆଗାଁ ବ୍ଲକ ମାଳିସାହି ଗ୍ରାମପଂଚାୟତ ଅନ୍ତର୍ଗତ ବଳଭଦ୍ରପୁର-ଢିପାମାଳ ରାସ୍ତା ବିବାଦକୁ ନେଇ ଗତକାଲି ୧୭ ଖଣ୍ତ ମୌଜାର ଗ୍ରାମବାସୀ ଏକାଠି ହୋଇ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଆଜି ଗୁଡୁପାଙ୍ଗି ଗ୍ରାମର ଗ୍ରାମବାସୀମାନେ ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ଦୋହରାଇଥିବା ଜଣାପଡିଛି। ଜଙ୍ଗଲରେ ନୂତନ ରାସ୍ତା ନିର୍ମାଣ କରିବା ଫଳରେ ଜଙ୍ଗଲ ଧ୍ୱଂସ ହେବା ସଙ୍ଗେ ସଙ୍ଗେ ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ମାନବ ସମାଜ ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷେତ୍ରରେ ଏହାର ପ୍ରଭାବ ପଡିବା ନେଇ ଗ୍ରାମବାସୀ ମାନେ ମତପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ବଳଭଦ୍ରପୁର–ଢିପାମାଳ ରାସ୍ତା ବିବାଦ ଯେତିକି ଦିନ ଗଡି ଗଡି ଯାଉଛି ଘଟଣା ସେତିକି ଜଟିଳ ହେଉଛି। ଗତ ୪ମାସ ଧରି ଗୁଡୁପାଙ୍ଗି ଗ୍ରାମର ମୁଖ୍ୟ ରାସ୍ତା ସମେତ ବଳଭଦ୍ରପୁର ଠାରୁ ଗୁଡୁପାଙ୍ଗି ଏବଂ ଢିପାମାଳ ଠାରୁ ଗୁଡୁପାଙ୍ଗି ରାସ୍ତାକୁ ୧୭ଖଣ୍ତ ମୌଜାର ଗ୍ରାମବାସୀମାନେ ଗଛ, ଡାଳ ଓ କାଚ ପକାଇ ଅବରୋଧ କରି ରଖିଥିବା ବେଳେ ଗ୍ରାମ ପୋଖରୀ ହୁଡା ଦେଇ ଯାଇଥିବା ମାଟିରାସ୍ତା ଦେଇ ଗୁଡୁପାଙ୍ଗି ଗ୍ରାମର ଗ୍ରାମବାସୀ ମାନେ ଯିବା ଆସିବା କରୁଛନ୍ତି। ଏପରି ପରିସ୍ଥିତିରେ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ଡ୍ରେସ ଗାଡି ଫେରି ଯାଇଥିଲା। ଗୁଡୁପାଙ୍ଗି ଗ୍ରାମବାସୀଙ୍କ କହିବା ମୁତାବକ, ଆଜକୁ ପ୍ରାୟ ୪୦ ବର୍ଷ ଧରି ଗୁଡୁପାଙ୍ଗି ଗ୍ରାମ ସହିତ ୧୮ଟି ପଂଚାୟତର ସଭ୍ୟମାନଙ୍କୁ ନେଇ ଗୁଡୁପାଙ୍ଗି ଗ୍ରାମ୍ୟ ଜଙ୍ଗଲ ତଥା ଗତିଶ୍ବର ମହାଦେବ ଜଙ୍ଗଲ ସୁରକ୍ଷା କମିଟି ଉକ୍ତ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଅଛି। ତେବେ ଗୋଟିଏ ପଟରେ ଗୁଡୁପାଙ୍ଗି ଗ୍ରାମର ଗ୍ରାମବାସୀମାନେ ଜଙ୍ଗଲରେ ଥିବା ମୂଲ୍ୟବାନ ଗଛ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା କଥା ଦୋହରାଇ ଆସୁଥିବା ବେଳେ ଅନ୍ୟ ପକ୍ଷରେ ରାସ୍ତା କାର୍ଯ୍ୟ ଶୀଘ୍ର ତ୍ବରାନ୍ବିତ କରିବା ପାଇଁ ୧୭ ଖଣ୍ତ ମୌଜାର ଗ୍ରାମବାସୀ ମାନେ ନିଜ ଦାବି ରଖିଛନ୍ତି।

ଏହି ଜଙ୍ଗଲ ଜମିରେ ରାସ୍ତା ନିର୍ମାଣକୁ ଅଭିଯୋଗ କରି ଗୁଡୁପାଙ୍ଗି ଗ୍ରାମର ଜଣେ ବ୍ୟକ୍ତି କିଛିଦିନ ତଳେ ନ୍ୟାସନାଲ ଗ୍ରୀନ ଟ୍ର୍ୟୁବିନାଲ(ଏନଜିଟି)ରେ ମାମଲା ଦାୟର କରିଥିବା ପରେ ଘଟଣାଟି ଆହୁରି ଜଟିଳ ରୂପ ଧାରଣ କରିଥିଲା। ଏନଜିଟି ମାମଲାର ସମାଧାନ ହେବାପରେ ରାସ୍ତା ନିର୍ମାଣ କଥା ଆଲୋଚନା କରାଯିବା ନେଇ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଗୋଟିଏ ପକ୍ଷରେ ବଳଭଦ୍ରପୁର ଠାରୁ ଢିପାମାଳ ପର୍ଯ୍ୟନ୍ତ କୌଣସି ଗ୍ରାମକୁ ସଂଯୋଗ ନକରି ରାସ୍ତା କାର୍ଯ୍ୟ ନିର୍ମାଣ କରି ସମାଧାନ କରିବା ପାଇଁ ୧୭ ଖଣ୍ତ ଗ୍ରାମବାସୀଙ୍କ ପକ୍ଷରୁ ମତ ଦିଆଯାଇଥିବା ବେଳେ ଅନ୍ୟ ପକ୍ଷରେ ସରକାରଙ୍କ ଦ୍ବାରା ଅର୍ଦ୍ଧ ନିର୍ମିତ ହୋଇ ବଳଭଦ୍ରପୁର ଠାରୁ ଢିପାମାଳ ଭାୟା ଗୁଡୁପାଙ୍ଗି ଦେଇ ରାସ୍ତା କାର୍ଯ୍ୟ ପୂର୍ଣ୍ଣାଙ୍ଗ କରି ସମାଧାନ କରିବା ପାଇଁ ଗୁଡୁପାଙ୍ଗି ଗ୍ରାମବାସୀ ମାନେ କହିଛନ୍ତି। ତେବେ ବହୁଦିନଧରି ଲାଗି ରହିଥିବା ବିବାଦର ଅନ୍ତ କେବେ ଘଟୁଛି ତାହା ଦେଖିବାକୁ ବାକି ରହିଲା।

Related posts