ନୟାଗଡ଼, (ନୟାଗଡ଼ ଦର୍ପଣ): ସେବା ଯୋଗାଇବାର ଉତ୍ସାହ ହେଲେ, ସବୁଦିନ ସେବା ଉତ୍ସବ ହେବ। ସେବା କରିବା ପାଇଁ ସଚେତନତା ସୃଷ୍ଟି କରିବା ସହ ଯୁବପିଢ଼ିଙ୍କୁ ଏଥିରେ ଅଧିକରୁ ଅଧିକ ସାମିଲ କରିବାର ଆବଶ୍ୟକତା ଅଛି। ସମାଜରେ ସେବା ଭାବନା ଜଗିଲେ ଯାଇ ହି ଏକ ସମୃଦ୍ଧ ଉତ୍ସାହ ଭରିବ। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧୫ତାରିଖରୁ ଅନୁଷ୍ଠିତ ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥିମାନେ ଏଭଳି ମତ ରଖିଛନ୍ତି। ଗତ ଜୁଲାଇ ୧୫ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୩୦ ତାରିଖ ଯାଏଁ ଅନୁଷ୍ଠିତ ହୋଇଯାଇଥିବା ଏହି ଜିଲ୍ଲାସ୍ଥରୀୟ ଉତ୍ସବରେ ଜିଲ୍ଲାର ୨ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଇଥିଲା।
ଚଳିତ ବର୍ଷ ଏହି ସେବାଉତ୍ସବ ଜିଲ୍ଲାର ଆଠୋଟି ବ୍ଲକ ପରିକ୍ରମା କରିଥିବା ବେଳେ ସେବା ଉତ୍ସବର ସ୍ବେଛାସେବୀ ମାନେ ଘର ଘର ବୁଲି ଅସହାୟ ଓ ଅଭାବ ଅନାଟନ ଭିତରେ ଥିବା ଲୋକଙ୍କୁ ରାସନ, ଲୁଗା, ଚପଲ, ଛତା ଆଦି ବିଭିର୍ଣ୍ଣ ପ୍ରକାର ସେବା ଯୋଗାଇଥିଲେ। ଜିଲ୍ଲାର ବେଠିଆ ସାହି ଓ କୁଳୁରୁକୁମ୍ପା ଗ୍ରାମରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦିଆଯାଇଥିବା ବେଳେ ଏହି ଅବସରରେ ଅଙ୍ଗଦାନ ପାଇଁ ବିଭିନ୍ନ ଲୋକଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ଏହା ପରେ ପରେ ପ୍ରତ୍ୟେକ ସନ୍ଧ୍ୟାରେ ଓଡିଶାସରକାରଙ୍କ ସଂସ୍କୃତି ବିଭାଗ, ସହାଭାଗିତାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କ୍ରମରେ ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବର ଉଦଯାପନୀ ଉତ୍ସବ ଆଜି ନୟାଗଡ଼ ସହର ସ୍ଥିତ ଦୁର୍ଗାପୂଜା ମଣ୍ଡପଠାରେ ମହାସମାରୋହରେ ସମାପିତ ହୋଇଯାଇଛି। ଏହି ଉଦଯାପନୀ ସଭାରେ ସେବା ଉତ୍ସବ ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ବିଜେପି ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥା ଏବଂ ସମ୍ମାନିତ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ପୌରାଧ୍ୟକ୍ଷା ନିରୁପମା ଖଟେଇ, ଖଣ୍ଡପଡା ବ୍ଲକର ପୂର୍ବତନ ଅଧକ୍ଷା ସୀତା ସ୍ୱାଇଁ, ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା, ଚକ୍ଷୁ ଡାକ୍ତର ଅରବିନ୍ଦ ଦାଶ ଓ ଡାକ୍ତର ବାଳକୃଷ୍ଣ ମହାରଣା ପ୍ରମୁଖ ଯୋଗଦେଇଥିଲେ।
ଉଦଯାପନୀ ସଭା ପରେ ଚାରିଜଣ ଅସହାୟ ମହିଳାଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା। ଏହାପରେ ପ୍ରାୟ ୩୫୦ ଅଭାବୀଙ୍କୁ ବସ୍ତ୍ର, ରାସନ, ଚପଲ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହାପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାଭାଗିତାରେ ବିଭିନ୍ନ ସ୍ଥାନରୁ ଆସିଥିବା ସାଂସ୍କୃତିକ ଦଳମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରିବେଶ ସୁରକ୍ଷା ନେଇ ପରିବେଶବିତ ସୁକାନ୍ତ ଚୌଧୁରୀ ଲୋକଙ୍କୁ ସଚେତନତା କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ସମାଜସେବୀ ଚିକୁ ପଟ୍ଟନାୟକ, ବଂଶୀଧର ସାହୁ, ଅଶୋକ ଭଟ୍ଟ, ପ୍ରଶାନ୍ତ କୁମାର ସାହୁ, ସେବା ସମିତି ସଦସ୍ୟ ଗୁଲସନ କୁମାର ଦାସ, ସୌମ୍ୟା ସ୍ୱୟଂପ୍ରଭା, ବର୍ଷା ପ୍ରିୟଦର୍ଶିନୀ,କରଣ ବଡତିଆ ଓ ଦେବଦୂତ ସେବା ପରିଷଦର ସମସ୍ତ କର୍ମକର୍ତା ପ୍ରମୁଖ ପରିଚାଳନା କରିଥିଲେ।