ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ବାର୍ଷିକ ସାଧାରଣ ସଭା ଆରସିଏମ୍ଏସ୍ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ପୁରେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସମବାୟ ସମିତି ମହାମଞ୍ଚ ସଭାପତି ଗୋଲଖ ପ୍ରସାଦ ମହାପାତ୍ର, ଅନ୍ୟତମ ଅତିଥି ଭାବେ ସଂଘର ଉପଦେଷ୍ଟା ପବିତ୍ର ମୋହନ ଦାସ, ଉପଦେଷ୍ଟା ସୈାଭାଗ୍ୟ ପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ୨୦୨୫ ମେ ୩୧ ତାରିଖ ସୁଦ୍ଧା ସମିତିରେ କାର୍ଯ୍ୟ କରୁଥିବା ସମସ୍ତ ବର୍ଗର କର୍ମଚାରୀ ତଥା ସମ୍ପାଦକ, ସହ ସମ୍ପାଦକ, କିରାଣୀ, ଡିଇଓ, ପିଅନଙ୍କୁ ସରକାରୀ କ୍ୟାଡର ଭୁକ୍ତ କରି ରାଜ୍ୟ ସରକାରଙ୍କ କର୍ମଚାରୀମାନେ ପାଉଥିବା ସମସ୍ତ ସୁବିଧା ସୁଯୋଗ ସହିତ ୭ମ ବେତନ କମିଶନ ପ୍ରଦାନ ବ୍ୟବସ୍ଥା କରିବା ପାଇଁ ବିଭିନ୍ନ ବ୍ଲକର କାର୍ଯ୍ୟକର୍ତ୍ତାମାନେ ଦାବି ଉପସ୍ଥାପନ କରିଥିଲେ । ଏହି ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ସଂଘ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ସରକାରଙ୍କ ଦ୍ୱାରା ପ୍ରକାଶିତ କ୍ୟାଡର ରୁଲରେ କେତେକ ପରିବର୍ତ୍ତନ ପାଇଁ ଏକ ଦାବିପତ୍ର ଉପସ୍ଥାପନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ, ପ୍ରଧାନମନ୍ତ୍ରଙ୍କ ସ୍ୱପ୍ନ ତଥା ସମବାୟ ପାଞ୍ଚ ସୁତ୍ରୀ ବ୍ୟବସ୍ଥାରେ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସରକାରଙ୍କ ସହାୟତାରେ ସମବାୟକୁ ଏକତ୍ରୀତ କରି ସମସ୍ତ କର୍ମଚାରୀଙ୍କୁ ମୈାଳିକ ଅଧିକାର ଦେବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ଅତିଥି ପ୍ରତିଶୃତି ଦେଇଥିଲେ । ସମସ୍ତ ସମିତି ଓ ଲ୍ୟାମ୍ପସ୍ ଗୁଡ଼ିକରେ ମଡେଲ୍ ସୋସାଇଟ୍ ଭଳି କାର୍ଯ୍ୟାଳୟ, ଗୋଦାମ ଗୃହ ଏବଂ ୨୫ ପ୍ରକାର ବ୍ୟବସାୟ ବ୍ୟବସ୍ଥା କାର୍ଯ୍ୟକାରି କରିବା ପାଇଁ ପ୍ରକାଶ କରିଥିଲେ । ୩୦ଟି ଜିଲ୍ଲାର ସମସ୍ତ କର୍ମଚାରୀଙ୍କ ସମସ୍ୟାକୁ ସରକାରଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ମୁଖ୍ୟ ଅତିଥି ପ୍ରତିଶୃତି ଦେଇଥିଲେ । ପ୍ରତ୍ୟେକ ଜିଲ୍ଲାରେ ସଂଘ କାର୍ଯ୍ୟାଳୟ ପାଇଁ ଏକ ଏକର ଜାଗା ସହିତ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ କର୍ମଚାରୀମାନେ ଦାବି ରଖିଥିଲେ । ଏହି ସଭାରେ ନୟାଗଡ଼ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଜଗମୋହନ ରଣସିଂ, କର୍ମକର୍ତ୍ତା ଦିଗମ୍ବର ନାୟକ, ଘନଶ୍ୟାମ ଜେନା, ଚିତ୍ତରଞ୍ଜନ ପଣ୍ଡା, ଶିବରାମ ମହାକୁଡ଼, ତନ୍ମୟ ଶତପଥି, ନିତ୍ୟାନନ୍ଦ ଦାସ, ଆଲୋକ କୁମାର ସ୍ୱାଇଁ ପ୍ରମୂଖ ଉପସ୍ଥିତ ରହି ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଜିଲ୍ଲାର ସମସ୍ତ ସମବାୟ ସମିତି ସମ୍ପାଦକ, ସହ ସମ୍ପାଦକ, ଡିଇଓ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଯୋଗ ଦେଇଥିଲେ ।