ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ ମଶାବାରୀ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ମଶାବାରୀ ଠାରେ ୭୬ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ରୁ ମୁଖ୍ୟ ଅତିଥି ଭାବରେ ବନପାଳ ସରିତା ବରାଳ, ମୁଖ୍ୟ ବକ୍ତା ଭାବରେ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ସ୍ୱତନ୍ତ୍ର ଅତିଥି ଭାବରେ ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ସମ୍ମାନିତ ଅତିଥି ଭାବରେ ବନରକ୍ଷୀ ସୌମ୍ୟରଂଜନ ଦଳେଇ, ଉଦ୍ଧବ ପ୍ରଧାନ, ଅଲିଧା ବରାଳ, ବିନୟ ରଞ୍ଜନ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଈଶ୍ବର ଚନ୍ଦ୍ର ସିଠ,ଶିକ୍ଷାବିତ ବାଇଧର ସ୍ୱାଇଁ,କମିଟିର ସଭ୍ୟ ସଭ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପ୍ରଥମେ ବୃକ୍ଷରେ ଅତିଥିମାନଙ୍କ ଦ୍ୱାରା ଜଳଦାନ କରାଇ ବୈଠକ ଅନୁଷ୍ଠିତ ହୋଇଥିଲା।ଛାତ୍ରଛାତ୍ରୀ ମାନେ ବୃକ୍ଷ ସମ୍ପର୍କରେ ବିଭିନ୍ନ ଭାଷଣ ପ୍ରଦାନ କରିଥିଲେ।

ପରେ ଅତିଥି ମାନେ ବୃକ୍ଷରୋପଣ ସହିତ ତା’ର ଯତ୍ନ ନେବାପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ।ପରେ ଅତିଥି ମାନଙ୍କ ଗହଣରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବଉଳ,ଅମୃତଭଣ୍ଡା, ସଜନା ଇତ୍ୟାଦି ବୃକ୍ଷରୋପଣ କରାଯାଇଥିଲା।ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ପ୍ଲା କାର୍ଡ,ସ୍ଲୋଗାନ ମାଧ୍ୟମରେ ଏକ ସଚେତନତା ଶୋଭାଯାତ୍ରା କରି ଲୋକମାନଙ୍କୁ ସଚେତନତା ର ବାର୍ତ୍ତା ବାଣ୍ଟିଥିଲେ।ଗ୍ରାମର ମଧ୍ୟଭାଗରେ   ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପଥପ୍ରାନ୍ତ ନୃତ୍ୟ  ପରିବେଷଣ କରାଯାଇଥିଲା।ଉକ୍ତ ନୃତ୍ୟ ସ୍ଥାନୀୟ ଜନସାଧାରଣଙ୍କ ମନକୁ ବିମୋହିତ କରିଥିଲା।ପରିଶେଷରେ ସଭିଏଁ ବୃକ୍ଷ ରୋପଣ କରିବା, ଯତ୍ନ ନେବା, ଗ୍ରାମ ଓ ବିଦ୍ୟାଳୟକୁ ପଲିଥିନ ମୁକ୍ତ କରିବା, ନିଶାସେବନ ନକରିବା ଏବଂ ଛାତ୍ର ଛାତ୍ରୀ ଙ୍କ ଠାରୁ ମୋବାଇଲର ଦୂରତା ରକ୍ଷାକରିବା ପାଇଁ ଶପଥ ପାଠ କରାଯାଇଥିଲା।ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Related posts