ଶନିଶ୍ଚରଦେବଙ୍କ ବାର୍ଷିକ ଉତ୍ସବ ଓ ନବଗ୍ରହ ବିଗ୍ରହଙ୍କ ପ୍ରତିଷ୍ଠା ଉତ୍ସବ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ନୂଆସାହି ଠାରେ ବିରାଜିତ ଶ୍ରୀ ଶ୍ରୀ ଶନିଶ୍ଚରଦେବଙ୍କ ବାର୍ଷିକ ଉତ୍ସବ ଓ ନବଗ୍ରହ ବିଗ୍ରହ ମାନଙ୍କ ପ୍ରତିଷ୍ଠା ଉତ୍ସବ ରବିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପ୍ରାତଃ ସମୟରେ ନିକଟବର୍ତ୍ତୀ ରାଜବନ୍ଧ ପୋଖରୀରୁ ନୈଷ୍ଠିକ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ବାରା ବୈଦିକ ରୀତିନୀତି ଅନୁଯାୟୀ ହୋମ କରିବା ପରେ ୧୦୮ ପବିତ୍ର ଜଳପୂର୍ଣ୍ଣ ଘଟ ଧରି ମହାଆଡମ୍ବରରେ ଗ୍ରାମ ପରିକ୍ରମା କରିବା ପରେ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ପରେ ପରେ ସୂର୍ଯ୍ୟ ପୂଜା, ଗୁରୁ ପୂଜା, ଗୋ ପୂଜା, ମହାସ୍ନାନ, ନବଗ୍ରହଙ୍କ ଷୋଡ଼ଶ ଉପଚାର ପୂଜା, ହବନ, ଆଳତି, ସପ୍ତଚଣ୍ଡୀ ଆହୁତି ଓ ଗୀତାପାଠ କରାଯାଇଥିଲା। ଅନ୍ୟପକ୍ଷରେ ନବଗ୍ରହ ବିଗ୍ରହ ମାନଙ୍କ ପ୍ରତିଷ୍ଠା ଉତ୍ସବ ଓ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଶନିଶ୍ଚର ମନ୍ଦିରର ପରିଚାଳନା କମିଟିର ସଭାପତି ଅଶୋକ କୁମାର ସାହୁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ନବଗ୍ରହ ବିଗ୍ରହ ମାନଙ୍କ ଆସ୍ଥାନ ବିଜେ, ମନ୍ଦିର ଚୂଡାକରଣ, ପୂର୍ଣ୍ଣାହୁତି , ମନ୍ଦିରର ଶୁଭ ଉଦଘାଟନ ଓ ଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଦିନ ତମାମ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଶ୍ରମ ଲାଘବ ନିମନ୍ତେ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଭଜନ କୀର୍ତ୍ତନ ପରିବେଶିତ ହୋଇଥିଲା। ନନ୍ଦିଘୋର ତଥା ତାହାର ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦାନ କରି ରତ୍ନମୁଦ ପାଇଁ ସୁନା, ରୂପା, ବିଭିନ୍ନ ଅଳଙ୍କାର ,ଧାନ,ମୁଗ, ବିରି ଇତ୍ୟାଦି ବିଭିନ୍ନ ପ୍ରକାର ଶସ୍ୟ ଦାନ କରୁଥିବା ପରିଲକ୍ଷିତ ହୋଇଛି। ଶନିଶ୍ଚରଦେବଙ୍କ ମନ୍ଦିର ପୂଜକ ଶଙ୍କର ଦାଶଙ୍କ ସମେତ ନୈଷ୍ଠିକ ବ୍ରାହ୍ମଣ ପଣ୍ଡିତ ଗୋଦାବରୀଶ ମିଶ୍ର , ଦୀପକ ପ୍ରହରାଜ, ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଓ ଲକ୍ଷ୍ମୀଧର ଦାଶ,କର୍ତ୍ତା ତଥା ଅନୁଷ୍ଠାନର ସଭାପତି ଅଶୋକ କୁମାର ସାହୁ ଓ ଶାନ୍ତି ଲତା ସାହୁ ପ୍ରମୁଖ ସମସ୍ତ ପୂଜା କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ସାହୁ, ଦିଲ୍ଲୀପ କୁମାର ସାହୁ, କିଶୋର କୁମାର ସାହୁ ଓ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ସାହାଯ୍ୟ ସହଯୋଗ କରି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ। ଅପରାହ୍ନ ରେ ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସାଙ୍ଗକୁ ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Related posts