ରୋହିବାଙ୍କ ବିଦ୍ୟାଳୟରେ  ବିଶ୍ଵ ପରିବେଶ ଦିବସରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ବିଶ୍ଵବ୍ରହ୍ମାଣ୍ଡରେ ଅଦ୍ଵିତୀୟ ଗ୍ରହ ହେଉଛି ପୃଥିବୀ କାରଣ କେବଳ ଏହି ଗ୍ରହରେ ଜୀବଜଗତ ସୃଷ୍ଟି ହୋଇଛି। 4.6 ବିଲିୟନ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ପୃଥିବୀ ବର୍ତ୍ତମାନ ଏକ ଜ୍ୱଳନ୍ତ ପିଣ୍ଡ ଆଡକୁ ଅଗ୍ରସର ହେଉଛି। ତେଣୁ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ସ୍ୱାକ୍ଷରତା ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ପରିବେଶ ବିଭାଗ ଯୁଗ୍ମ ଆନୁକୂଲ୍ୟରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ବିଦ୍ୟାଳୟର ସ୍କାଉଟ ଗାଇଡ଼ ଓ ଇକୋ କ୍ଳବ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। 

କାର୍ଯ୍ୟକ୍ରମରେ ଧରିତ୍ରୀ ମାତୃଭୂମି ଓ ପ୍ରକୃତିକୁ ସମ୍ମାନ ଓ ସମର୍ପିତ ଦେଖାଇବା ସହିତ ଜ୍ୱଳନ୍ତ ପିଣ୍ଡକୁ ଶୀତଳତା ଆଡକୁ ନେବା, ତାକୁ ସବୁଜ ସୁନ୍ଦର ବେଶରେ ଦେଖିବା ପାଇଁ ‘ମା ନାମରେ ଗଛ ଟିଏ’ ଲଗାଇ ଏହାର ଯତ୍ନ ନେବାକୁ ସଚେତନ କରାଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଖେଳ ଶିକ୍ଷକ ଆଲୋକ ନାୟକ ପିଲାମାନଙ୍କୁ ନେଇ ବିଦ୍ୟାଳୟ ହତା ଭିତରେ ବୃକ୍ଷ ରୋପଣ କରାଇଥିଲେ। ବୃକ୍ଷରୋପଣ ସାଙ୍ଗକୁ ମାଟିକୁ ଦୂଷିତ କରୁଥିବା ପ୍ଲାଷ୍ଟିକ ଓ ପଲିଥିନକୁ ଘରେ ଓ ନିଜ ଆଖପାଖ ଅଞ୍ଚଳରେ ବର୍ଜନ କରିବାକୁ ଶପଥ ନେଇଥିଲେ। ନିଜ ଘରର ବାରି ତଥା ଖୋଲା ସ୍ଥାନରେ ବୃକ୍ଷରୋପଣ ଓ ତାର ଯତ୍ନ ପାଇଁ ଏକ ସଚେତନତା ଶୋଭାଯାତ୍ରା କରି ରୋହିବାଙ୍କ ଗ୍ରାମ ପରିକ୍ରମା କରାଯାଇଥିଲା। କାର୍ଯ୍ୟକ୍ରମକୁ ଶ୍ରୀ ସାହୁ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ସୁନିତା ବେହେରା, ପ୍ରିୟଦର୍ଶନୀ ମହାପାତ୍ର, ଶିକ୍ଷକ ସୁଯ୍ୟମଣୀ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Related posts