ନୟାଗଡ଼, (ନୟାଗଡ଼ ଦର୍ପଣ): ଲାଠିପଡା ଜୟପ୍ରକାଶ ଯୁବସଙ୍ଘ ପରିସରରେ ଦିବଂଗତ କମ୍ୟୁନିଷ୍ଟ ନେତା ଅଧିକାରୀ ବେହେରାଙ୍କ ଦ୍ଵାଦଶାହ ଅବସରରେ ବରିଷ୍ଠ ସିପିଆଇ ଏମ୍ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏକ ଶୋଭାଯାତ୍ରାରେ ଲାଠିପଡା ଗ୍ରାମ ପରିକ୍ରମା ପରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଅଧିକାରୀ ବେହେରା ଥିଲେ କୃଷକ ଶ୍ରମିକ ଶ୍ରେଣୀର ପ୍ରିୟ ସାଥୀ, ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ସାଲିସହୀନ ସଂଗ୍ରାମୀ, ଲାଠିପଡା ଆଞ୍ଚଳିକ ବିକାଶର ସ୍ଵପ୍ନ ଦ୍ରଷ୍ଟା ପୁରୁଷ। ତାଙ୍କର ବିୟୋଗରେ ଅଞ୍ଚଳ ତାର ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ଶୋକ ବାର୍ତ୍ତାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

କୈଶୋରରୁ କଟକରେ ରାଜମିସ୍ତ୍ରୀ ଭାବେ କାମକରି ମାଳତୀ ଦେବୀ, ବିଶ୍ଵନାଥ ପଣ୍ଡିତଙ୍କ ଭଳି ସଂସ୍କାରବାଦୀ ବିପ୍ଳବୀମାନଙ୍କ ସହିତ ମିଶି ସମାଜବାଦୀ ଆଦର୍ଶରେ ଅନୁପ୍ରାଣୀତ ହେବା, ଏହାପରେ ନିଜ ଜନ୍ମସ୍ଥାନ ଲାଠିପଡାରେ ଜୟପ୍ରକାଶ ଯୁବସଙ୍ଘ ଗଢ଼ି ବିଭିନ୍ନ ସମାଜ ସୁଧାର ତଥା ବିକାଶ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା, ଜୀବନର ଅନ୍ତିମ ଲଗ୍ନ ପର୍ଯ୍ୟନ୍ତ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଆଦର୍ଶରେ ନିଜକୁ ନିୟୋଜିତ କରିବାରେ ଅଧିକାରୀ ଥିଲେ ବିରଳ ବ୍ୟକ୍ତିତ୍ବ। ମୃତ୍ୟୁ ପରେ ନିଜ ଶରୀରକୁ କଟକ ବଡ଼ ଡ଼ାକ୍ତରଖାନାକୁ ସମର୍ପଣ କରିବା ପାଇଁ ତାଙ୍କ ଅଙ୍ଗୀକାର ଥିଲେ ମଧ୍ୟ ସମ୍ବଲପୁରର ଉପକଣ୍ଠରେ ତାଙ୍କର ବିୟୋଗ ହେତୁ ଶେଷଇଚ୍ଛା ଅପୂରଣୀୟ ରହିଗଲା ତାଙ୍କର। ତଥାପି ତାଙ୍କର ତ୍ୟାଗ, ନିଷ୍ଠା, ପରୋପକାରୀତା, ସାଧୁତା, ପରିବେଶପ୍ରୀତି ଓ ନିର୍ଭୀକ ମଣିଷପଣିଆ ପାଇଁ ସେ ମରି ବି ଅମର ବୋଲି ବକ୍ତାମାନେ ଉଲ୍ଲେଖ କରିଥିଲେ। ଏହି ସଭାରେ ବରିଷ୍ଠ ସାମ୍ବାଦିକ ଗୋପିନାଥ ପରିଡା, ଜିଲ୍ଲା ପରିଷଦର ପ୍ରାକ୍ତନ ସଭାପତି ହରେକୃଷ୍ଣ ପ୍ରଧାନ, ଶିକ୍ଷାବିତ୍ ଚତୁର୍ଭୁଜ ପାତ୍ର, ପଞ୍ଚାନନ ଡାକୁଆ, ଯୁବସଙ୍ଘର ପ୍ରତିଷ୍ଠାତା ସଦସ୍ୟ ଜଗବନ୍ଧୁ ସାହୁ, ଦୀନବନ୍ଧୁ ସାହୁ, ସଦାନନ୍ଦ ସାହୁ, ତ୍ରିଲୋଚନ ପ୍ରଧାନ, ପ୍ରଭାତ ପୃଷ୍ଟି, ପବିତ୍ର ସାହୁ, ପ୍ରହଲ୍ଲାଦ ସାହୁ, ପ୍ରବୀଣ ବେହେରା, ସିପିଆଇ ଏମ୍ ଜିଲ୍ଲା ସଂପାଦକ ହରିଶ୍ଚନ୍ଦ୍ର ମିଶ୍ର, ଅନ୍ୟତମ ନେତା ଶରତଚନ୍ଦ୍ର ବେହେରା, ପବିତ୍ର ଇନ୍ଦ୍ରଜିତ, ସୁରେଶ ସ୍ବାଇଁ, ସରୋଜ କୁମାର ନାୟକ, ଜୟନ୍ତୀ ଦାଶ, ସଂଯୁକ୍ତା ସେଠୀ, କୁଳମଣି ପୃଷ୍ଟି ପ୍ରମୁଖ ଅଧିକାରୀ ବେହେରାଙ୍କ ତ୍ୟାଗପୂତ ଜୀବନ ଉପରେ ଆଲୋଚନା କରିଥିଲେ।