ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ” ତରଫରୁ ଗତ ମାର୍ଚ୍ଚ ୮ ତାରିଖରୁ ମାଉଣ୍ଟ ଆବୁରୁ ଆରମ୍ଭ ହୋଇ ୧୮ଟି ରାଜ୍ୟକୁ ପ୍ରାୟ ୧୮୦୦୦ କି.ମି ଅତିକ୍ରମ କରି ଆସନ୍ତା ଜୁନ ୭ ତାରିଖରେ ନୂଆଦିଲ୍ହୀରେ ପହଞ୍ଚିବାକୁ ଥିବା “ଜାଗତେ ରହୋ ଭାରତ ଯାତ୍ରା”କୁ ନୟାଗଡରେ ସ୍ଵାଗତ କରିଯାଇଥିଲା। ତତ୍ପରେ ନୟାଗଡ ସ୍ଥିତ ଭାରତ ବିକାଶ ପରିଷଦ ଭବନ ଠାରେ ସୋହମ ସଙ୍ଗଠନର ଉପସଭାପତି ତଥା ପରିବେଶବିତ ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତିଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏହି ଯାତ୍ରାର ମୁଖ୍ୟ କର୍ଣ୍ଣଧାର ତଥା ଦିଗଦର୍ଶକ ଓ ଗ୍ରାମୀଣ ବିକାଶ ମଣ୍ଡଳ, ହରିୟଣାର ପ୍ରତିଷ୍ଠତା ରାଜେନ୍ଦ୍ର କୁମାର ଏହି ଯାତ୍ରାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ନାରୀମାନଙ୍କ ସମ୍ମାନ ଓ ନାରୀ ନିର୍ଯ୍ୟାତନା ବିରୋଧରେ ଏହା ଏକ ସଚେତନତାର କାର୍ଯ୍ୟକ୍ରମ ବୋଲି ଉଲ୍ଲେଖ କରିଥିଲେ।

ତତ୍ପରେ ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନାରୀ ସୁରକ୍ଷା ଓ ନାରୀ ନିର୍ଯ୍ୟାତନା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ବିଶେଷ ଭାବେ ବର୍ଣ୍ଣନା କରିଥିଲେ। ଏଥିରେ ମହାତ୍ମା ଗାନ୍ଧୀ ଓ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନ ବିତଉଥିବା ଗୁଜରାଟର ବିଶିଷ୍ଠ ସମାଜସେବୀ ଯମବୁ ବେନ ବର୍ତମାନ ନାରୀମାନଙ୍କ ସୁରକ୍ଷା ଓ ଅତ୍ୟାଚାର ଉପରେ ନିଜ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ “ସୋହମ୍” ସଙ୍ଗଠନର ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ପରିଚାଳନା କରିଥିଲେ। ଏଥିରେ ସଙ୍ଗଠନର ବରିଷ୍ଠ ସଦସ୍ୟ ତଥା ଭାରତ ବିକାଶ ପରିଷଦର ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବସନ୍ତିଆ, ପ୍ରଶାନ୍ତ କୁମାର ଶତପଥୀ, ସବିତା ସାହୁ, ଡ. ସୁକାନ୍ତି ମହାନ୍ତି, ଝିଲିମିଲି ସାହୁ, ହରେକୃଷ୍ଣ ସାହୁ, ବିଦ୍ୟାବିଜିତା ମହାନ୍ତି, ମୋନାଲିସା ମଙ୍ଗରାଜ, ସମାଜସେବୀ ଅମନ ମିଶ୍ର, ସୁନୀଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।