ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ପ୍ୟାକ୍ସ ସଭାପତି ସଂଘ ବୈଠକ ମୁଥାଗଡ଼ିଆ କଲ୍ୟାଣ ମଣ୍ଡପ ଅନୁଷ୍ଠିତ ହୋଇଯାଇଛି। ପ୍ୟାକ୍ସ ସଂଘ ସଭାପତି ପ୍ରତାପ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବୀନ୍ଦ୍ର କୁମାର ସାହୁ, ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ, ଦୁର୍ଯ୍ୟୋଧନ ବେହେରା, ଉପେନ୍ଦ୍ର କୁମାର ସାହୁ, ସଞ୍ଜୟ ଖୁଣ୍ଟିଆ, ସୁପ୍ରିୟା ମହାନ୍ତି, ବାସନ୍ତୀ ପ୍ରଧାନ, ପ୍ରଭାତ କୁମାର ଦଳବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ବ୍ୟାଙ୍କ ପରିଚାଳନା ପରିଷଦ ଓ ସଭାପତିଙ୍କ ଅଗୋଚରରେ ସାଧାରଣ ସଭା ଆହ୍ଵାନ କରାଯିବାକୁ ନେଇ ବୈଠକରେ ଆଲୋଚନା ପାଇଁ ପ୍ରସ୍ତାବ ରଖା ଯାଇଥିଲା। ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଚାଷୀ ଓ ସମିତି କ୍ଷତିଗ୍ରସ୍ତ ହେଉଥିବା ଆଲୋଚନା ହୋଇଥିଲା। ସୁଧ ଲାଭାଂଶକୁ ସମବାୟ ସମିତିକୁ ପ୍ରଦାନ ନକରି ବ୍ୟାଙ୍କ କାଟି ନେଇଥିବା ଗୁରୁତ୍ଵପୂର୍ଣ୍ଣ ବିଷୟ ଆଲୋଚନା ହୋଇଥିଲା। ବ୍ୟାଙ୍କ ପରିଚାଳନା ପରିଷଦକୁ ନିଲମ୍ବନ ପ୍ରସଙ୍ଗକୁ ଉପସ୍ଥାପନ କରି ସମବାୟ ବିତ ସନ୍ୟାସୀ ପ୍ରଧାନ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ଟାର୍ଗେଟ କରିଥିଲେ। ରଣପୁର ବିଧାୟିକା ବ୍ୟାଙ୍କ ବୋର୍ଡ଼ ଭାଙ୍ଗିବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି ବୋଲି କହିଥିଲେ। ବିନା ତଦନ୍ତ, ବିନା ପ୍ରମାଣରେ ପରିଚାଳନା ପରିଷଦକୁ ନିଲମ୍ବନ କରାଯିବାକୁ ନିନ୍ଦା କରିଥିଲେ। ଉଚ୍ଚ ନ୍ୟାୟାଳୟ ନିଲମ୍ବନ ଆଦେଶ ଉପରେ ସ୍ଥଗିତାଦେଶ ପ୍ରଦାନ କରି ଏବଂ ଆର୍ଥିକ କ୍ଷମତା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହାକୁ ଅଣଦେଖା କରି ବ୍ୟାଙ୍କ ସମ୍ପାଦକ ମନଇଚ୍ଛା ସାଧାରଣ ସଭା ଆହ୍ଵାନ କରିଛନ୍ତି। ଏହା ସହିତ ଧାନ ମଣ୍ଡି କମିଶନ ଓ ସୁଧ ରିହାତି କମିଶନ ସମିତିରୁ ବ୍ୟାଙ୍କକୁ ନେଇ ଯିବା ଗ୍ରହଣ ଯୋଗ୍ୟ ନୁହେଁ ବୋଲି କହିଥିଲେ।

ବ୍ୟାଙ୍କ ସମ୍ପାଦକଙ୍କୁ ନୟାଗଡ଼ରୁ ବିଦା କରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ। ସାଧାରଣ ସଭାକୁ ବିରୋଧ କରି ଉଚ୍ଚ ନ୍ୟାୟାଳୟକୁ ଅବଗତ କରାଯାଇଛି। ଏହା ସହିତ ସାଧାରଣ ସଭାରେ ଜୋରଦାର ବିରୋଧ କରାଯିବ ବୋଲି ଆଲୋଚନା କରାଯାଇଛି। ବ୍ୟାଙ୍କ ସଭାପତି ଓ ପ୍ୟାକ୍ସ ସଭାପତିଙ୍କ ଅଧିକାର କ୍ଷୁର୍ଣ୍ଣ କରିବାକୁ ଉଦ୍ୟମ କରାଯାଉଛି ବୋଲି ନିର୍ଦ୍ଦେଶକ ଉପେନ୍ଦ୍ର ସାହୁ କହିଥିଲେ। ସମବାୟକୁ ଆନ୍ଦୋଳନ ବୋଲି ଆଖ୍ୟା ଦିଆଯାଏ, ଏବେ ନୟାଗଡ଼ ଜିଲ୍ଲାରେ ଆନ୍ଦୋଳନକୁ ଓହ୍ଲାଇବା ସମୟ ଉପନୀତ ବୋଲି ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ବେହେରା କହିଥିଲେ। ଏହି ବୈଠକରେ ପ୍ୟାକ୍ସ ସଭାପତି ସୁଶାନ୍ତ କୁମାର ଜେନା ରଣପୁର ବିଧାୟିକା ସୁରମା ପାଢ଼ୀ ବ୍ୟାଙ୍କ ପ୍ରତି ରଖିଥିବା ଆକ୍ରୋଶ ମୂଳକ ମନୋଭାବରୁ କ୍ଷାନ୍ତ ରୁହନ୍ତୁ ବୋଲି କହିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ତାଙ୍କ ଅଭିଭାଷଣରେ ନୀତି ଓ ନିୟମ ଅନୁସାରେ ସମବାୟ ଚାଷୀଙ୍କୁ ଗୁରୁତ୍ଵ ଦେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ। ଆଜିର ବୈଠକରେ ଶତାଧିକ ପ୍ୟାକ୍ସ ସଭାପତି ଯୋଗ ଦେଇଥିଲେ।