ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ “ଆମ ସଂସ୍କୃତି ଆମ ଖେଳନା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧୀରେ ଧୀରେ ବିଲୁପ୍ତ ହୋଇଯାଉଥିବା ଆମ ସଂସ୍କୃତି ଓ ପରମ୍ପରା ଯଥା ଓଡ଼ିଆ ଘରର ଚାଲିଚଳଣୀ, ବେଶ ପୋଷାକ, ଖାଦ୍ୟପେୟ, ପିଠାପଣା ସହିତ ପର୍ବପର୍ବାଣୀ ଉପରେ ଛାତ୍ରଛାତ୍ରୀଙ୍କୁ ଧାରଣା ଦେବା ଓ ହାତତିଆରି କଣ୍ଢେଇ ବା ଖେଳନା, ଝୋଟି, କାଗଜର ଫୁଲ ସହିତ ଆକୃତି ଗଢ଼ିବା ଉପରେ ପିଲାଙ୍କ ମନରେ ଆଗ୍ରହ ଜାତ କରିବା ନିମନ୍ତେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ତତ୍ତ୍ଵାବଧାନରେ “ଆମ ସଂସ୍କୃତି ଓ ଆମ ଖେଳନା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିବା ଛାତ୍ରଛାତ୍ରୀ ମାନେ ରଙ୍ଗବେରଙ୍ଗର କାଗଜ ଓ କନା ତିଆରି ଫୁଲ, ଝାଲର, ତୈଳଚିତ୍ର ଇତ୍ୟାଦି ତିଆରିକରି ଆଣିଥିବା ବେଳେ ସେଗୁଡିକୁ ଆଜିର କାର୍ଯ୍ୟକ୍ରମରେ ପ୍ରଦର୍ଶନ କରିଥିଲେ l ପ୍ରତ୍ୟେକ ଶ୍ରେଣୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏକଶହରୁ ଉର୍ଦ୍ଧ୍ଵ ପ୍ରକଳ୍ପ ଆସିଥିଲା l ସେଥିମଧ୍ୟରୁ ବିଭିନ୍ନ ବର୍ଗର ବାର ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପୀ କାରିଗର ସରୋଜିନୀ ପଲେଇ ଓ ବାସନ୍ତୀ ପଲେଇ ଯୋଗଦେଇ ପିଲାମାନଙ୍କୁ କନା ସାହାଯ୍ୟରେ ବିଭିନ୍ନ ଜୀବଜନ୍ତୁ ନିର୍ମାଣ ଓ କୌଶଳ ଉପରେ ଶିକ୍ଷା ଦେଇଥିଲେ l ପ୍ରଥମ ଦ୍ବିତୀୟ ଶ୍ରେଣୀ ନିମନ୍ତେ ସହକାରୀ ଶିକ୍ଷୟିତ୍ରୀ ସୁଷମା ବିଶ୍ଵାଳ ଓ ମଗ୍ନୁମ୍ ଜାହାନ, ତୃତୀୟ ଚତୁର୍ଥ ଶ୍ରେଣୀ ପାଇଁ ସହକାରୀ ଶିକ୍ଷୟିତ୍ରୀ ନିଶାମଣି ମିଶ୍ର ଓ ସଲିମ୍ ଇବ୍ରାହିମ୍, ପଞ୍ଚମ ଷଷ୍ଠ ଶ୍ରେଣୀ ପାଇଁ ସବିତା ପଟ୍ଟନାୟକ ଓ ରଶ୍ମି ରଞ୍ଜିତା ବେହେରା ସେହିପରି ସପ୍ତମ ଅଷ୍ଟମ ଶ୍ରେଣୀ ପାଇଁ ଶେଖ୍ ଅବଦୁଲ୍ ଖଲିକ୍ ଓ କ୍ରୀଡ଼ା ଶିକ୍ଷକ ଜିତେନ୍ଦ୍ର ଗୁରୁ ପ୍ରମୁଖ ବିଚାରକ ଭାବରେ ଯୋଗଦେଇ ସର୍ବୋକୃଷ୍ଟ ହସ୍ତଶିଳ୍ପ ଚୟନ କରିଥଲେ l ଓଡ଼ିଆ ଘରର ପର୍ବପର୍ବାଣି, ପିଠାପଣା ଓ ପରମ୍ପରାରେ ଉପରେ ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର ପିଲାଙ୍କୁ ଧାରଣା ଦେଇଥିଲେ l ପରିଶେଷରେ ସହକାରୀ ଶିକ୍ଷକ ସଲିମ୍ ଇବ୍ରାହିମ୍ ଧନ୍ୟବାଦ୍ ଦେଇଥିଲେ l
ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ “ଆମ ସଂସ୍କୃତି ଆମ ଖେଳନା” କାର୍ଯ୍ୟକ୍ରମ
