ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶଙ୍ଖେଇ ଗ୍ରାମର ତିକ୍ଷ୍ଣ ଗବେଷକ ପଦାର୍ଥ ବିଜ୍ଞାନରେ ନୂତନ ଉଦ୍ଭାବନ କରିଛନ୍ତି। ଆଇପିସିଏମଏସ ୟୁନିଭରସିଟି ଫ୍ରାନ୍ସର ଦୀକ୍ଷାନ୍ତ ସମାରୋହରେ ଓଡିଶାର ନୟାଗଡ଼ ଜିଲ୍ଲାର ସ୍ୱାଭିମାନୀ ପୁଅ ଡ଼ଃ ଜ୍ଞାନଦୀପ ପ୍ରଧାନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ସମ୍ମାନ ଦିଆଯାଇଛି। ଏକ ପ୍ରତିଭାଶାଳୀ ଗବେଷକ ଭାବେ ପରିଚିତ ଡ଼ଃ. ପ୍ରଧାନ ତାଙ୍କ ଡ଼କ୍ଟରେଟ୍ କାର୍ଯ୍ୟ ପ୍ରଫେସର ମାଥିୟ୍ୟୁ ବାଇଲ୍ଲେୟୂଲଙ୍କ ତତ୍ତ୍ୱାବଧାନରେ ଆଇପିସିଏମଏସ ୟୁନିଭରସିଟି, ଫ୍ରାନ୍ସ ପଦାର୍ଥ ବିଜ୍ଞାନ ବିଭାଗରେ ସମ୍ପୂର୍ଣ୍ଣ କରିଛନ୍ତି। ତାଙ୍କ ଗବେଷଣାର ମୁଖ୍ୟ କ୍ଷେତ୍ର ଥିଲା ବକ୍ର ଚୁମ୍ବକରେ ଘୂର୍ଣ୍ଣନ ତରଙ୍ଗର ଗତିଶୀଳତା। ପଦାର୍ଥ ବିଜ୍ଞାନ ପାଇଁ ସେ ଗତି ଦିଗରେ ନୂତନ ଉଦ୍ଭାବନ କରିଛନ୍ତି, ଯାହା ଗତିଜ ଶକ୍ତିରେ ନୂଆ ଆଶା ଦେଇପାରେ।

ଡ଼ଃ ପ୍ରଧାନଙ୍କର ଏହି ଗବେଷଣା କାର୍ଯ୍ୟ ବିଶ୍ୱବ୍ୟାପୀ ମାନ୍ୟତା ପାଇଛି, ଏବଂ ସେ ବିଭିନ୍ନ ଆନ୍ତର୍ଜାତୀୟ ପତ୍ରିକାରେ ଗୋଟିଏ ପରେ ଗୋଟିଏ ଉଚ୍ଚ ପ୍ରଭାବଶାଳୀ ଶୋଧ ପତ୍ର ପ୍ରକାଶିତ କରିଛନ୍ତି। ଏହି ଗବେଷଣା କାର୍ଯ୍ୟ ତାଙ୍କର ଶୋଧ ସମର୍ପଣକୁ ଦର୍ଶାଇବା ସହ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏକ ବୈପ୍ଳାବତ୍ମକ ଉନ୍ନତି।
ବର୍ତ୍ତମାନ ଡ଼ଃ ପ୍ରଧାନ ଫ୍ରାନ୍ସସ୍ଥିତ ଷ୍ଟାରସବର୍ଗର ପ୍ରସିଦ୍ଧ ଆଇପିସିଏମଏସ ବିଶ୍ଵବିଦ୍ୟାଳୟରେ ପୋଷ୍ଟଡକ୍ଟରାଲ ଫେଲୋ ଭାବେ ତାଙ୍କର ଶୋଧ କାର୍ଯ୍ୟ ଚାଲୁ ରଖିଛନ୍ତି। ତାଙ୍କର ଏହି ସଫଳତା କେବଳ ଓଡିଶା ନୁହେଁ ବରଂ ସାରା ଦେଶ ପାଇଁ ଗର୍ବର ବିଷୟ। ସୂଚନା ଥାଉକି ପୂର୍ବରୁ ଜାତୀୟ ସ୍ତରରେ ନାଇଜରରେ କୃତିତ୍ୱ ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିବାରେ ସମର୍ଥ ହୋଇଥିଲେ। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଡ଼ଃ ପ୍ରଧାନ ପିଲା ବେଳୁ ଅନେକ ପ୍ରତିଭାବାନ ଥିଲେ। ଡ଼ଃ ପ୍ରଧାନଙ୍କ ଏଭଳି ସଫଳତାରେ ତାଙ୍କ ସରକାରୀ ଚାକିରିଆ ପିତାମାତା ବେଶ ଖୁସି ଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି।