ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ପାଟଚଣ୍ଡୀ ପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବରିଷ୍ଠ ଶିକ୍ଷକ ତଥା କବି ଅଶୋକ କୁମାର ମଲ୍ଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ସ୍ତମ୍ଭକାର ତଥା ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ସାହୁ ଯୋଗଦାନ କରିଥିଲେ। ବାର୍ଷିକ ଉତ୍ସବ ଆୟୋଜନ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ପରିସ୍ଫୁଟନ ହୋଇଥାଏ। ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବାଦ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିବା ସହିତ ପ୍ରତିବର୍ଷ ବାର୍ଷିକ ଉତ୍ସବ ପାଳନ କରାଯିବା ଆବଶ୍ୟକ ବୋଲି କହିଥିଲେ।

ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ପୂର୍ବରୁ ବିଦ୍ୟାଳୟରେ କାର୍ଯ୍ୟ କରିଥିବା ସମସ୍ତ ଶିକ୍ଷକ ଏବଂ ପରିଚାଳନା କମିଟିର ସମସ୍ତ ସଦସ୍ୟ ମାନଙ୍କୁ ଫୁଲ ତୋଡ଼ା ଏବଂ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ବେହେରା ଅତିଥି ପରିଚୟ ପ୍ରଦାନ ଏବଂ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସିଆରସିସି ରବୀନ୍ଦ୍ରନାଥ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। ଗ୍ରାମ ସଭାପତି ସୁମନ୍ତ ନାୟକ ତଥା ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କୁବେର ସାହୁ, ଅର୍ଜୁନ ସାହୁ ଏବଂ ଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ, ପରିଚାଳନା କମିଟିର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ମାନେ ବେଶ ଉପଭୋଗ କରିଥିଲେ।