ଓଡଗାଁ,(ନୟାଗଡ ଦର୍ପଣ): ଓଡଗାଁ ରେଞ୍ଜ କାର୍ୟ୍ୟାଳୟ ପରିସରରେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଏସିଏଫ୍ ଅରବିନ୍ଦ ମହାନ୍ତି, ମୁଖ୍ୟ ବକ୍ତା ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ, ସମ୍ମାନିତ ଅତିଥି ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ଶିକ୍ଷକ ପଞ୍ଚାନନ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ସୁକାନ୍ତ ଚୌଧୁରୀ ଉପସ୍ଥିତ ଥିଲେ। କୁରାଳ ଅରୋମିରା ଟ୍ରଷ୍ଟ ଓ ସବୁଜ ସାଥି କୁରାଳ ତରଫରୁ ବନପାଳ ଜ୍ୟୋତିରଞ୍ଜନ ମାନସିଂହ, ସରିତା ବରାଳ, ବନରକ୍ଷୀ ସନ୍ତୋଷ କୁମାର ପରିଡ଼ା ଓ ଜିତେନ୍ଦ୍ର କୁମାର ବେହେରାଙ୍କୁ ଉପଢୌକନ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ବନକର୍ମଚାରୀଙ୍କ ସହିତ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗ ରହିଲେ ଜଙ୍ଗଲ ସୁରକ୍ଷା ସମ୍ଭବ ବୋଲି ଅମ୍ରିତ୍ କୁମାର ସାହୁ ବକ୍ତବ୍ୟ ରଖିଥିଲେ। ପ୍ରକୃତିବନ୍ଧୁ ରଞ୍ଜନ ଦାଶ ନିଜ ବକ୍ତବ୍ୟରେ ଏଭଳି ସମ୍ବର୍ଦ୍ଧନା ଉତ୍ସବ ଦ୍ୱାରା ବନକର୍ମଚାରୀଙ୍କ ମନୋବଳ ବୃଦ୍ଧି ପାଇବା ସହିତ କାମ କରିବାର ଆଗ୍ରହ ସୃଷ୍ଟି ହେବା କଥା କହିଥିଲେ। ସୁକାନ୍ତଚୌଧୁରୀ, ପରିବେଶବିତ୍ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏବଂ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମଜୟନ୍ତୀ ଉପଲକ୍ଷେ ପ୍ରତିବର୍ଷ ଏଭଳି ଟ୍ରଫି ପ୍ରଦାନ କରିବା କଥା ପ୍ରକାଶ କରିଥିଲେ। ସଭାପତି ନିଜ ବକ୍ତବ୍ୟରେ ସମସ୍ତ ବନ କର୍ମଚାରୀ ସବୁଜ ବଳୟ ସୃଷ୍ଟି କରିବାର ଯେଉଁ ପ୍ରୟାସ ଜାରି ରଖିଛନ୍ତି ଏବଂ ସୁକାନ୍ତ ଚୌଧୁରୀଙ୍କ ଏଭଳି ଉତ୍ସାହ ଓ ପ୍ରେରଣାଦାୟୀ କାର୍ୟ୍ୟକ୍ରମ ନିଶ୍ଚିତ ଧନ୍ୟବାଦର ପାତ୍ର ବୋଲି ବକ୍ତବ୍ୟ ରଖିଥିଲେ। ବର୍ତ୍ତମାନ ସମୟରେ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥିରେ ବିଦ୍ୟାଳୟ, ଯୁବକ ସଂଘ, ଗ୍ରାମବାସୀଙ୍କୁ ପ୍ରତ୍ୟକ୍ଷ ଭାବରେ ସାମିଲ କରାଗଲେ ଏହା ନିଶ୍ଚିତ ଫଳପ୍ରଦ ହୋଇପାରିବ ବୋଲି ସମସ୍ତେ ହୃଦୟଙ୍ଗମ କରିଥିଲେ।
ଅରୋମିରା ଟ୍ରଷ୍ଟ ଓ ସବୁଜ ସାଥି କୁରାଳ ଦ୍ଵାରା ବନ କର୍ମଚାରୀ ସମ୍ବର୍ଦ୍ଧିତ
