ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ସବ ଏକ ଜାତୀୟ ଛୁଟି ଦିବସ ନୁହେଁ ବରଂ ସମସ୍ତଙ୍କ ପାଇଁ ଏକ ଅଭୁଲା ସ୍ମୃତି ରୁପେ ମାନସ ପଟ୍ଟରେ ସାଇତା ହୋଇ ରହିବ। ନିଜେ ନିଜେ ନିରନ୍ତର ଅଧ୍ୟୟନ ସହ ବ୍ୟାୟାମ ନାଚ ଗୀତ ପ୍ରତି ସମସ୍ତେ ସମୟ ଦେବା ଉଚିତ ବୋଲି ଇଟାମାଟି ଶିକ୍ଷା ଓ ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ବକ୍ତବ୍ୟ ରଖିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅବସରପ୍ରାପ୍ତ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତି ବରିଷ୍ଠ ପ୍ରଶାସକ ନିରଞ୍ଜନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦାନ କରି ଛାତ୍ର ଛାତ୍ରୀମାନଙ୍କୁ ଯେତେ ଭଲ ପାଠ ପଢ଼ିଲେ ବା ସଫଳତାର ଶୀର୍ଷରେ ଚଢ଼ିଲେ ବି ସର୍ବଦା ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ, ଭଦ୍ର ଏବଂ ନମ୍ର ହେବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଶିକ୍ଷାବିତ ଅଶୋକ କୁମାର ନାୟକଙ୍କ ମହାବିଦ୍ୟାଳର ପ୍ରତିଷ୍ଠାରେ ଉଲ୍ଲେଖଯୋଗ୍ୟ ଭୂମିକା ତଥା ଅବଦାନ ସମ୍ବଳିତ ଏହି ଅଞ୍ଚଳର ବୁଦ୍ଧିଜୀବୀ ସାହିତ୍ୟିକ ତଥା ଶୁଭେଚ୍ଛୁମାନଙ୍କ ଆଲେଖ୍ୟ ସମ୍ବଳିତ ସ୍ମରଣୀକା “ଅସୀମ ଅଶୋକ” ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଉଭୟ ଇଟାମାଟି ମହାବିଦ୍ୟାଳୟ ଏବଂ ଯଦୁମଣି କ୍ଲବ ସୌଜନ୍ୟରେ ପ୍ରକାଶିତ ଏହି ସ୍ମରଣୀକା ଉପରେ ଫକୀର ଚରଣ ବୈରିରଞ୍ଜନ ଏବଂ ଦିଲ୍ଲୀପ ସାହୁ ସୁଚନା ଦେଇଥିଲେ । ଅଧ୍ୟାପକ ଏବଂ କର୍ମଚାରୀ ପରିଷଦର ସମ୍ପାଦକ ଅଧ୍ୟାପିକା ସଲିଳା ସାମଲ ଏବଂ ପ୍ରଶାନ୍ତ କୁମାର ରଥ ଯଥାକ୍ରମେ ବାର୍ଷିକ ବିବରଣୀ ପଠନ ଏବଂ ବେଦ ପାଠ କରିଥିଲେ।

ଏହି ଅବସରରେ ମାଟ୍ରିକରେ ସର୍ବାଧିକ ନମ୍ବର ରଖି କଲେଜରେ ନାମ ଲେଖାଇଥିବା ଛାତ୍ରୀ ରୋଜି ବେହେରାଙ୍କୁ ଭାରତୀ ସାହୁ ସ୍ମାରକୀ କୃତି ସହ ପାଞ୍ଚ ହଜାର, ଯୁକ୍ତ ଦୁଇ ପରୀକ୍ଷାରେ ସର୍ବାଧିକ ନମ୍ବର ରଖୁଥିବା ତଥା +୨ କଳାରେ ରାଜ୍ୟରେ ସପ୍ତମ ସ୍ଥାନ ଅଧିକାର କରିଥିବା ଅନନ୍ୟା ମୈତ୍ରୀ ଏବଂ ବିଜ୍ଞାନରେ କଲେଜର +୨ ପରୀକ୍ଷାରେ କଲେଜ ଟପର ହୋଇଥିବା ସୁଭମ ସାହୁଙ୍କୁ ପାନାଦେବୀ ସ୍ମାରକୀ କୃତି ସହ ପାଞ୍ଚ ହଜାର ଲେଖାଏଁ ଦିଆଯାଇଥିଲା।

ଅଧ୍ୟାପକ ସୁକାନ୍ତ କୁମାର ପାତ୍ର ଏବଂ ଖେଳ ଶିକ୍ଷକ ଅମୀୟ ମୋହନ ସାହୁ କଲେଜରେ ଅନୁଷ୍ଠିତ ବାର୍ଷିକ ଖେଳକୁଦ ପ୍ରତିଯୋଗୀତାର ବାଳକ ବିଭାଗର ଚମ୍ପିଆନ ପାପୁନ ଜେନା ଏବଂ ବାଳିକା ଚମ୍ପିଆନ ଝୁଲୀ ପରିଡା ଏବଂ ସାହିତ୍ୟ ସମ୍ପର୍କିତ ପ୍ରତିଯୋଗିତାରେ ଚମ୍ପିଆନ ହୋଇଥିବା ଅସୀମା ବେହେରାଙ୍କ ସହିତ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ଅଭୟ କୁମାର ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଅଧ୍ୟାପକ ପ୍ରଫୁଲ୍ଲ ମହାପାତ୍ର ଏବଂ ଭାରତୀ ମିଶ୍ରଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଅଧ୍ୟାପକ ସୁପ୍ରିୟା ମହାପାତ୍ର, ସରୋଜ ନଳିନୀ ଦାସ, ଦିଲ୍ଲୀପ କୁମାର ନାୟକ।