ସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଚାଲିଥିବା ନାଟକ ମହୋତ୍ସବର ଦ୍ଵିତୀୟ ସଂଧ୍ୟାରେ ବାଗଦେବୀ ଲିଟରେଚର ଟ୍ରଷ୍ଟ, ଭୁବନେଶ୍ବରର କଳାକାରମାନଙ୍କ ଦ୍ବାରା ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!! “। ନୟାଗଡ଼ର ଅନନ୍ଯ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ନାଟକ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ କବି ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ। ଅନୁଷ୍ଠାନର ସଭାପତି କିଷାନ କୁମାର ଦାସ, ନାଟ୍ୟଭୂଷଣ ଡ ବିଜୟ ଚୌଧୁରୀ ଓ ନାଟ୍ୟକାର ବିଶ୍ବନାଥ ମହାପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରି ନାଟକର ଶୁଭାରମ୍ଭ କରିଥିଲେ। ବିଧାୟକ ଡ ଅରୁଣ କୁମାର ସାହୁ ନାଟକ ଜୀବନକୁ ବୋଧ ଦିଏ ବୋଲି ମତ ପ୍ରକାଶ କରିଥିଲେ। ଦ୍ବିତୀୟ ସଂଧ୍ୟାରେ ମଞ୍ଚସ୍ଥ ନାଟକ ଏବଂ କିଏ!! ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଡ ପ୍ରଦୀପ ଭୌମିକଙ୍କ ଲିଖିତ ଏହି ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ପବିତ୍ର ମହାନ୍ତି। ଯେଉଁମାନଙ୍କୁ ଆମେ ଅମ ସମାଜର ମୁଖିଆ ବୋଲି ଭାବୁଛନ୍ତି ସେମାନେ କଣ ସତରେ ଆମ ସମସ୍ଯାର ସମାଧାନ କରନ୍ତି ନା ଅଧିକ ଜଟିଳ କରାନ୍ତି ଏଇ କଥାକୁ ଦର୍ଶକଙ୍କ ସମ୍ମୁଖରେ ରଖିଥିଲା ମଞ୍ଚସ୍ଥ ନାଟକ। ବିଭିନ୍ନ ଚରିତ୍ରରେ ସୁନୀଲ୍ ପଟ୍ଟନାୟକ, ମାନୁ ପଟ୍ଟନାୟକ, ଦେବେନ୍ଦ୍ର ସୁନ୍ଦର ରାୟ, ଯାମିନୀକାନ୍ତ ମିଶ୍ର, କୃଷ୍ଣଚନ୍ଦ୍ର ମିଶ୍ର, ଧରିତ୍ରୀ ଖଣ୍ଡୁଆଳ, ସୂର୍ଯ୍ୟ, ରାଜେଶ ପଟ୍ଟନାୟକ ଏବଂ ଗୋକୁଳ ଷଡ଼ଙ୍ଗୀ ଅଭିନୟ କରି ନାଟକକୁ ଜୀବନ୍ତ କରିଥିଲେ। ଯାମିନୀ, ପବିତ୍ର, ରାମ, କମଳ, ଗତିକୃଷ୍ଣ, ଅମ୍ଲାନ, ଶିବାନୀ, ସୋନାଲି ଓ ଧରିତ୍ରୀ ଅଭିନୟ କରିଥିଲେ। ସିରିୟସ୍ ଜୋନର ଏହି ପ୍ରୟାସକୁ ନାଟ୍ଯପ୍ରେମୀମାନେ ଖୁବ୍ ପ୍ରଶଂସା କରିଛନ୍ତି।

Related posts