ସାହିତ୍ୟିକ ଓ ଶିକ୍ଷାବିତଙ୍କ ସଫଳତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ (Ministry of Information & Broadcasting) ତରଫରୁ ଶିକ୍ଷାବିତ୍, ସଂପାଦକ, ଭାଷାତତ୍ତ୍ୱବିତ୍, ସାହିତ୍ୟିକ, ଅନୁବାଦକ ଡ. ଜଗମୋହନ ଆଚାର୍ଯ୍ୟଙ୍କୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମି ସାର୍ଟିଫିକେସନର ପରାମର୍ଶଦାତା ପ୍ୟାନେଲ୍, କୋଲକାତା ରିଜନର ସଦସ୍ୟ ଭାବେ ମନୋନୀତ କରାଯାଇଛି।  ନୟାଗଡ଼ ଜିଲ୍ଲା କଣ୍ଟାବଣିଆ ଶାସନରେ ଜନ୍ମ ହୋଇଥିବା ଡ. ଆଚାର୍ଯ୍ୟ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସଂସ୍କୃତ ସମ୍ମାନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଇଂରାଜୀ, ସଂସ୍କୃତ, ଓଡ଼ିଆ ଓ ବଙ୍ଗଳା ଭାଷାରେ ଅନେକ ଗବେଷଣାତ୍ମକ ପୁସ୍ତକ ରଚନା କରିବା  ସହ ଓଡ଼ିଆ ଭାଷାର ଅନେକ ନାଟକ ମଧ୍ୟ ଉଭୟ ସଂସ୍କୃତ ତଥା ବଙ୍ଗଳା ଭାଷାରେ ଅନୁବାଦ କରିଛନ୍ତି। ସର୍ବଭାରତୀୟସ୍ତରର ରିସର୍ଚ୍ଚ ଜର୍ଣ୍ଣାଲ୍ “ଋତାୟନୀ” ର ସଂପାଦନା କରିଥିବା ବେଳେ ଭାରତୀୟ ଅନୁବାଦ ସାହିତ୍ୟର ଉପଦେଷ୍ଟାମଣ୍ଡଳୀର ସଦସ୍ୟ ଅଛନ୍ତି। ସଂପ୍ରତି ଡ. ଆଚାର୍ଯ୍ୟ ପଶ୍ଚିମବଙ୍ଗର ଖଡ଼ଗପୁର ମହାବିଦ୍ୟାଳୟରେ ସହକାରୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ।

Related posts