ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ କରିବା ପାଇଁ ପାଳନ ହୋଇ ଆସୁଛି ନୟାଗଡ଼ ଜିଲ୍ଲା ମହୋତ୍ସବ । ଆମ ନୟାଗଡ଼ ଜିଲ୍ଲା ହେଉଛି ଅନେକ ଯୋଗଜନ୍ମାଙ୍କ ଏନ୍ତୁଡ଼ିଶାଳ ଯଥା ଉତ୍କଳଘଣ୍ଟ କବି ଯଦୁମଣି ମହାପାତ୍ର, ଜୋତିର୍ବିଦ ସାମନ୍ତ ଚନ୍ଦ୍ର ଶେଖର (ପଠାଣି ସାମନ୍ତ), କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା, ସ୍ୱାଧୀନତା ସଂଗ୍ରାମୀ ସହିଦ ରଘୁ-ଦିବାକର, କଷ୍ଟି ଡାକୁଆ, କଣ୍ଡୁରୀ ପରିଡା, ବୁଦ୍ଧି ପରିଡ଼ା, ବିଶିଷ୍ଟ ସଂଗ୍ରାହକ ଦାଶରଥି ପଟ୍ଟନାୟକ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ଗୋବିନ୍ଦ ଚନ୍ଦ୍ର ସୁରଦେଓ, ପଣ୍ଡିତ ବିନାୟକ ମିଶ୍ର ଭଳି ମହାମନୀଷୀ ମାନଙ୍କ ଜନ୍ମ ଭୂମି।ଯେଉଁମାନେକି ଆମ ଜିଲ୍ଲାର ଅସ୍ମିତା କିନ୍ତୁ ବିଡମ୍ବନାର ବିଷୟ ନୟାଗଡ଼ ଜିଲ୍ଲା ମହୋତ୍ସବରେ ଏଭଳି ମହାପୁରୁଷଙ୍କ ପାଇଁ ସ୍ଥାନ ନାହିଁ। ଯାହାଙ୍କୁ ଦେଖିଲେ ଆମ ଭବିଷ୍ୟତ ସୁରି ମାନେ ପ୍ରେରଣା ପାଇଥାନ୍ତି ।
ନୟାଗଡ଼ ଜିଲ୍ଲା ମହୋତ୍ସବ ଏବେ ନୟାଗଡ଼ ଜିଲ୍ଲା ରାଜନେତାଙ୍କ ମହୋତ୍ସବରେ ପରିଣତ ହେଇଛି । ଆମ ଜିଲ୍ଲାର ଅନେକ ବ୍ୟକ୍ତି ବିଶେଷ କଳା, ସାହିତ୍ୟ, କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ କିମ୍ବା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ ମଧ୍ୟ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଅଣଦେଖା କରିବା ଲଜ୍ୟା ଜନକ ବିଷୟ । ଏପରିକି ମହୋତ୍ସବ ପାଇଁ ନିମନ୍ତ୍ରଣ ପତ୍ର ଖଣ୍ଡେ ସେମାନଙ୍କୁ ନଦେବା ପରିତାପର ବିଷୟ । ଅନ୍ୟ ଜିଲ୍ଲାର କଳାକାରମାନେ ଯଦି କେହି ରାଜ୍ୟସ୍ତରରେ କିଛି ସମୟ ପାଇଁ ସିନେମା, ସିରିଏଲ, ୟୁଟୁବ କିମ୍ବା ସୋସିଆଲ ମିଡିଆରେ କଳା ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ତାଙ୍କ ଜିଲ୍ଲା ପ୍ରଶାସନ ଜିଲ୍ଲା ମହୋତ୍ସବରେ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ କରି ସମ୍ମାନୀତ କରୁଛନ୍ତି ।
କିନ୍ତୁ ଦୁଃଖର ବିଷୟ ନୟାଗଡ଼ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବ ହେତୁ ଆଜି ଜିଲ୍ଲାର ଅନେକ କଳାକାର, କଣ୍ଠ ଶିଳ୍ପୀ, ସାହିତ୍ୟିକ, କ୍ରୀଡ଼ାବିତ ଅବହେଳିତ । ଏହା ଦ୍ୱାରା ଜିଲ୍ଲା ପ୍ରଶାସନ ଜିଲ୍ଲାବାସୀଙ୍କୁ କେଉଁ ବାର୍ତା ଦେବା ପାଇଁ ଚାହୁଁଛନ୍ତି ଏହା ଚିନ୍ତା ଜନକ ବିଷୟ । ଜିଲ୍ଲାର ପଦାଧିକାରୀମାନଙ୍କୁ ନିବେଦନ ସେମାନେ ନିଜର ମନମୁଖୀ ଅହଂକାରୀ କାର୍ଯ୍ୟରୁ ନିବୃତ ରୁହନ୍ତୁ । ନଚେତ ଡିସେମ୍ବର ୨୫ରୁ ୨୮ତାରିଖକୁ ନୟାଗଡ଼ ଜିଲ୍ଲା କଳା ଦିବସ ରୂପେ ପାଳନ କରିବାକୁ ଆମେ ବାଧ୍ୟ ହେବୁ ବୋଲି ବ୍ୟଙ୍ଗକବି ରବୀନ୍ଦ୍ର ରାଉତ ପ୍ରେସ ବିବୃତିରେ ଜଣାଇଛନ୍ତି।ଏ ବିଷୟରେ ନୟାଗଡ଼ ଜିଲ୍ଲା ମହୋତ୍ସବର ଉଦଘାଟକ ତଥା ମୁଖ୍ୟଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଏବଂ ନୟାଗଡ଼ ଜିଲ୍ଲାର ସମସ୍ତ ମାନ୍ୟବର ସାଂସଦ ଓ ବିଧାୟକ ଗଣ ବିଶେଷ କରି ବାଚସ୍ପତି ମହୋଦୟା ସୁରମା ପାଢ଼ୀଙ୍କୁ ନିବେଦନ ସହ ବିଶେଷ ଆନୁରୋଧ କରିଛନ୍ତି ଏହା ଉପରେ ବିଚାର କରିବା ପାଇଁ।