ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାକକ୍ଷରେ ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ପଞ୍ଚାୟତର ମହିତମା ଗ୍ରାମ ଏବଂ ସିଙ୍ଗାରପଲ୍ଲୀ ପଞ୍ଚାୟତର ସିଙ୍ଗାରପଲ୍ଲୀ ଗ୍ରାମ, ନୟାଗଡ଼ ବ୍ଲକର ଲକ୍ଷ୍ମିପ୍ରସାଦ ପଞ୍ଚାୟତର ଯଦୁପୁର ଗ୍ରାମ ଏବଂ ମୁଥାଗାଡ଼ିଆ ପଞ୍ଚାୟତର ମୁଥାଗାଡ଼ିଆ ଗ୍ରାମ, ଭାପୁର ବ୍ଲକର ଫତେଗଡ଼ ପଞ୍ଚାୟତ ଅନ୍ତର୍ଗତ ମଣିପୁର ଗ୍ରାମ ଏବଂ ପଦ୍ମାବତୀ ପଞ୍ଚାୟତର ହାତୁଆରି ଗ୍ରାମ, ଖଣ୍ଡପଡ଼ା ବ୍ଲକର ବନମାଳିପୁର ପଞ୍ଚାୟତର ବାହାଡ଼ା ଗ୍ରାମ ଇତ୍ୟାଦି ୭ଗୋଟି ଗ୍ରାମର ଅନୁସୂଚୀତ ଜାତିର ଲୋକମାନଙ୍କ ସଂଖ୍ୟା ୫୦%ରୁ ଅଧିକ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିରିକୃତ ୩୬ଗୋଟି ମାନଦଣ୍ଡରେ ଯୋଗ୍ୟ ବିବେଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।
ସେହି ଗ୍ରାମଗୁଡ଼ିକର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସିଥିବା ଯୋଜନାଗୁଡ଼ିକ ଜିଲ୍ଲାସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟି ଦ୍ୱାରା ଅନୁମୋଦନ କରାଯାଇଥିଲା । ଏତଦ୍ ବ୍ୟତୀତ ନୟାଗଡ଼ ଜିଲ୍ଲାରେ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟଗୁଡ଼ିକର ବିନିଯୋଗ ପ୍ରମାଣ ପତ୍ର ଦେବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଜିଲ୍ଲା ମଙ୍ଗଳ ଅଧିକାରୀ ଅନୁରୋଧ କରିଥିଲେ । ସମସ୍ତ କାର୍ଯ୍ୟର ଷ୍ଟାଟସ୍ ରିପୋର୍ଟ୍ ସହ ନୂତନ କାର୍ଯ୍ୟ ପାଇଁ ଯୋଜନା ଓ ଅଟକଳ ଦେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ, ସଂପୃକ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ସଂପୃକ୍ତ ପଞ୍ଚାୟତ ଗୁଡ଼ିକର ସରପଞ୍ଚମାନେ ଉପସ୍ଥିତ ଥିଲେ। ଏହାପରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା ।