ଭଏସ୍ ଅଫ୍ ନୟାଗଡ଼ର ଜିଲ୍ଲାସ୍ତରୀୟ ସଂଗୀତ ପ୍ରତିଯୋଗିତା ଉଦଘାଟିତ

ସେମି ଫାଇନାଲକୁ ଉନ୍ନୀତ ହେଲେ ୨୪ ଯୁବ କଣ୍ଠଶିଳ୍ପୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ଚାରିବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦ୍ଘାଟନ କରିଥିବା ବେଳେ ପ୍ରତିଯୋଗୀ ତଥା ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଅବିନାଶ ସାହୁ।

ନୟାଗଡ଼ କ୍ଲବର ସଭାପତି ଅଶୋକ କୁମାର ନାୟକ ସଦସ୍ୟ ଅରୁଣ କୁମାର ମହାନ୍ତି, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ଲକ୍ଷ୍ମୀ ନାରାୟଣ ରଥ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ୧୨ରୁ ୨୩ବର୍ଷ ମଧ୍ୟରେ ୮୦ଜଣ କଣ୍ଠଶିଳ୍ପୀ ଯୋଗଦେଇଥିଲେ। ପ୍ରତିଯୋଗୀମାନେ କ୍ଳାସିକାଲ, ସେମି କ୍ଳାସିକାଲ୍, ଲୋକଗୀତ, ଭଜନ, ଜଣାଣ, ସୁଗମ ସଂଗୀତ ଆଦି ଗାଇଥିବା ବେଳ ଏଥିରେ ବିଚାରକ ଭାବେ ଶ୍ରୀନିବାସ ସାମନ୍ତରାୟ, ଦେବାଶିଷ ଦାଶ ଓ ସସ୍ମିତା ପଟ୍ଟନାୟକ ଯୋଗଦେଇ ୨୪ ଜଣ ଯୁବ କଣ୍ଠଶିଳ୍ପୀଙ୍କୁ ସେମିଫାଇନାଲ ପର୍ଯ୍ୟାୟକୁ ଚୟନ କରିଥିଲେ। ପରବର୍ତ୍ତୀ ସମୟରେ ସେମିଫାଇନାଲରୁ ଶ୍ରେଷ୍ଠ ଦଶଜଣଙ୍କୁ ଫାଇନାଲକୁ ଚୟନ କରାଯିବା ସହ ଶ୍ରେଷ୍ଠ ଯୁବ କଣ୍ଠଶିଳ୍ପୀଙ୍କୁ ” ଭଏସ୍ ଅଫ୍ ନୟାଗଡ଼” ଭାବେ ସମ୍ମାନିତ କରାଯିବ ବୋଲି କାର୍ଯ୍ୟକ୍ରମ ସଂଯୋଜକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଥିଲେ।

Related posts