ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀ ସୃଜନ, ନୟାଗଡ଼ ପକ୍ଷରୁ ସଙ୍ଗୀତ ପ୍ରତିଯୋଗିତା ଏବଂ ଶିଶିର ଉତ୍ସବ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ବର୍ଣ୍ଣ ଜୟନ୍ତୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ସୁରଗନ୍ଧର୍ବ ନବକିଶୋର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ। ପ୍ରତିଯୋଗିତାରେ ୧୩ ରୁ ୧୭ବର୍ଷ ବୟସର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରି କେବଳ ଶ୍ରୀ ସୃଜନ ୟୁଟ୍ୟୁବ୍ ଚାନେଲରେ ଉପଲବ୍ଧ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ଶ୍ରେଷ୍ଠ ୧୦ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଚୂଡାନ୍ତ ପର୍ଯ୍ୟାୟରେ ଓମ୍ ପ୍ରସାଦ ପାତ୍ର ଶ୍ରେଷ୍ଠ ବିବେଚିତ ହୋଇ ସ୍ୱର ଶ୍ରୀ ସମ୍ମାନରେ ସମ୍ମାନିତ ହୋଇ ୫ହଜାର ଟଙ୍କା, ମାନପତ୍ର ଏବଂ ଟ୍ରଫି ହାସଲ କରିଥିଲେ।
ସେହିପରି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ଯଥାକ୍ରମେ ଶୁଚିସ୍ମିତା ଦୋରା ଏବଂ ସମ୍ୟକ ପଣ୍ଡାଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ପଟ୍ଟନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନବକିଶୋର ମିଶ୍ର ପ୍ରମୁଖ ଯୋଗଦାନ କରି କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରତିଯୋଗିତାରେ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ସତ୍ୟନାରାୟଣ ମିଶ୍ର, ସଙ୍ଗୀତ ଗୁରୁ ରବିନାରାୟଣ ଦାଶ ଏବଂ ସନ୍ଧ୍ୟାରାଣୀ ପାଣିଗ୍ରାହୀ ପ୍ରମୁଖ ବିଚାରକ ଭାବେ ଯୋଗଦାନ କରିଥିଲେ । ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସଙ୍ଗୀତ କାର୍ଯ୍ୟକ୍ରମକୁ ସମ୍ପାଦିକା କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ ସଂଯୋଜନା କରିଥିବା ବେଳେ ସଦସ୍ୟ ତଥା କର୍ମକର୍ତ୍ତା ମନୋଜ କୁମାର ମିଶ୍ର, ପ୍ରଦୀପ କୁମାର ସାହୁ, ଲକ୍ଷ୍ମୀଧର ସାହୁ, ଝୁମୁରୀ ସାହୁ, କାଦମ୍ବିନୀ ମହାପାତ୍ର, ମଧୁସ୍ମିତା ବେହେରା ପ୍ରମୁଖ ସହଯୋଗ କରିଥିଲେ।