ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ ବ୍ଲକରେ ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦୨୫ମସିହା ଫେବୃୟାରୀ ୧୦ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ବ୍ଲକଗୁଡ଼ିକରେ ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ କରାଯିବ । ଏଥିରେ ବିଭିନ୍ନ ବିଭାଗ ଯଥା- ପଞ୍ଚାୟତିରାଜ, ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସୂଚନା ଓ ଲୋକ ସଂପର୍କ, ପୋଲିସ ବିଭାଗ, କୃଷି, ମିଶନଶକ୍ତି, ଜଙ୍ଗଲ ବିଭାଗ, ଓଡ଼ିଶା ଜୀବିକା ମିଶନ ପ୍ରଭୃତି ବିଭାଗ ସହଯୋଗ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଥିଲେ।

ଏହି ଗଣଔଷଧ ସେବନରେ ୨ବର୍ଷରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ଥିବା ଲୋକଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତେ ଧାର୍ଯ୍ୟ ପାନର ଔଷଧ ନିଶ୍ଚିତ ସେବନ କରିବାକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଭେକ୍ଟର ବାହିତ ରୋଗ)ଡା. ବନମାଳି ପ୍ରଧାନ ପ୍ରକାଶ କରିଥିଲେ । ସେ ପୁନଶ୍ଚ ପ୍ରକାଶ କରିଥିଲେ ଯେ, ସାମାନ୍ୟ ପ୍ରତିକ୍ରିୟା କ୍ଷେତ୍ରରେ ସେବନକାରୀ ବା ତାର ଆତ୍ମୀୟମାନେ ବ୍ୟସ୍ତ ବିବ୍ରତ ନ ହୋଇ ଭାବିବେ ଯେ ଔଷଧ ତାଙ୍କ ଦେହରେ ଠିକ୍ କାମ କରିବାରୁ ଏପରି ପ୍ରତିକ୍ରିୟା ଦେଖାଦେଲା । ଏଥିପାଇଁ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ, ସୁପରଭାଇଜର ଏବଂ ତ୍ୱରିତ କ୍ରିୟାନ୍ୱୟନ ଦଳଗୁଡ଼ିକୁ ନିଯୁକ୍ତ କରାଯାଇଛି । ସେ ଆହୁରି କହିଲେ ଯେ, ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀମାନେ ଫେବୃୟାରୀ ୧୦ତାରିଖରୁ ୧୯ତାରିଖ ମଧ୍ୟରେ ଘରକୁ ଘର ଗସ୍ତ କରି ଔଷଧ ପ୍ରଦାନ କରିବେ ଏବଂ ତାଙ୍କ ସମ୍ମୁଖରେ ଫାଇଲେରିଆ ନିରୋଧି ଔଷଧ ସେବନ କରିବାକୁ ସମସ୍ତ ଯୋଗ୍ୟ ଜନସାଧାରଣଙ୍କୁ ଅନୁରୋଧ କରିବେ । ଫାଇଲେରିଆ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ଯାହା କ୍ୟୁଲେକ୍ସ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ ।

ସାଧାରଣତଃ ପିଲାଦିନେ ଆକ୍ରାନ୍ତ କରୁଥିବା ଏହି ରୋଗ ବୟସ୍କ ଅବସ୍ଥାରେ ପ୍ରତ୍ୟକ୍ଷ ଭାବରେ ପରିଲକ୍ଷିତ ହୁଏ ଏବଂ ଏହି ସଂକ୍ରମଣ ଲିମ୍ଫାଟିକ୍ ବ୍ୟବସ୍ଥାକୁ ନଷ୍ଟ କରିଦେଇଥାଏ । ଯଦି ଏହାର ଚିକିତ୍ସା କରା ନ ଯାଏ ତେବେ ଏହା ଶରୀରର ବିଭିନ୍ନ ଅଂଶରେ ଫୁଲା ସୃଷ୍ଟି କରିଥାଏ ଯାହା ପୂର୍ବାବସ୍ଥାକୁ ଫେରାଇ ଅଣାଯାଇପାରିବ ନାହିଁ । ସେ ଦୃଷ୍ଟିରୁ ଆମେ ସମସ୍ତେ ଯୋଗ୍ୟ ସଚେତନ ନାଗରିକ ଔଷଧ ସେବନ କରିବା ଉଚିତ୍ । ଏଥି ପାଇଁ ୨ରୁ ୫ବର୍ଷ , ୬ରୁ ୧୪ବର୍ଷ ଏବଂ ୧୫ରୁ ଅଧିକ ସମସ୍ତ ଯୋଗ୍ୟ ସେବନକାରୀଙ୍କ ପାଇଁ  ଅଲଗା ଅଲଗା ଡୋଜ୍‌ର ଡି.ଇ.ସି.ବଟିକା ସହିତ ଗୋଟିଏ ଗୋଟିଏ କୃମିନାଶକ ଆଲବେଣ୍ଡାଜୋଲ୍ ଔଷଧ ସେବନ କରିବାକୁ ପଡ଼ିଥାଏ । 

ଖୁସିର କଥା ଆମ ଜିଲ୍ଲାର ଓଡ଼ଗାଁ ଏବଂ ରଣପୁର ବ୍ଲକ ଫାଇଲେରିଆ ମୁକ୍ତ ଅଞ୍ଚଳ ବୋଲି ଘୋଷିତ ହୋଇଛି । ନୟାଗଡ଼, ଖଣ୍ଡପଡ଼ା ଓ ଭାପୁର ବ୍ଲକ ଫାଇଲେରିଆ ମୁକ୍ତ ଅଞ୍ଚଳ ହେବାକୁ ଯାଉଛି । କେବଳ ଦଶପଲ୍ଲା ଏବଂ ତାହାର ପାଖ ବ୍ଲକ ଗଣିଆ, ନୂଆଗାଁ ଆଗାମୀ ୨୦୨୫ମସିହା ଫେବୃୟାରୀ ୧୦ରୁ ୧୯ତାରିଖ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରି ଫାଇଲେରିଆ ମୁକ୍ତ ଅଞ୍ଚଳ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଂଯୋଜକ ଡା. ଶ୍ୟାମବନ୍ଧୁ ରଥ,ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ଶ୍ରୀ ଦେବକାନ୍ତ ସନ୍ଦିପଗ୍ରହ ଏବଂ  ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଭେକ୍ଟର ବାହିତ ରୋଗ)ଡା. ବନମାଳି ପ୍ରଧାନ ଜିଲ୍ଲା ପ୍ରଶାସନର ସହଯୋଗ ଆଶା କରିଛନ୍ତି । ବୈଠକରେ ସଭାପତିତ୍ୱ କରୁଥିବା ଶ୍ରୀମତୀ ଦାସ ଏହାକୁ ସହୃଦୟତାର ସହ ଗ୍ରହଣ କରି ଜିଲ୍ଲା ପ୍ରଶାସନ ସବୁ କ୍ଷେତ୍ରରେ ସହେଯାଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ ଅତରିିକ୍ତ ସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡା. ଶରତ କୁମାର ଦାସ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କାଲୋ, ସଂପୃକ୍ତ ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବ୍ଲକର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ବିଭାଗୀୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Related posts