ବିତର୍କ ପ୍ରତିଯୋଗିତା; ବରିଷ୍ଠରେ ଶୁଭାଶିଷ, କନିଷ୍ଠରେ ପ୍ରିୟରଞ୍ଜନ ପ୍ରଥମ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ‘ସକାଳ’ ୪ର୍ଥ ସ୍ୱନ୍ନକ୍ଷତ୍ର ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ଅନେକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । କନିଷ୍ଠ ବର୍ଗରେ ବିଚାରକ ଭାବେ ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ମହମ୍ମର ଓମାର ମଲ୍ଲିକ, ସାମ୍ବାଦିକ ରାମକୃଷ୍ଣ ରଥ, ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଶୁଭ୍ରାଂଶୁ ବିଶ୍ୱାଳ ଦାୟିତ୍ୱ ନିର୍ବାହ କରିଥିଲେ । ନୟାଗଡ଼ ଏନ୍‌ଏସି ଉଚ୍ଚ ବିଦ୍ୟାଳୟ ଛାତ୍ର ପ୍ରିୟରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଭାପୁର ବ୍ଲକ କଇଁଫୁଲିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ର ପ୍ରଦ୍ୟୁମ୍ନ କୁମାର ସାହୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଗାଁ ଛାତ୍ରୀ ଶର୍ମିଷ୍ଠା ପୃଷ୍ଟି ତୃତୀୟ ସ୍ଥାନ ଅଧିକାର କରିଥିଲେ । ବରିଷ୍ଠ ବର୍ଗରେ କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସାମ୍ବାଦିକ ବୈଦ୍ୟ ଭୂଷଣ ମହାପାତ୍ର, ସାମ୍ବାଦିକ ଜୟେନ୍ଦ୍ର ବେହେରା ପ୍ରମୂଖ ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ । ବରିଷ୍ଠ ବର୍ଗରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ଶୁଭାଶିଷ ଦାଶ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ରାଜସୁନାଖଳା ଡିଆଇଇଟି ଛାତ୍ର ସାଗର ବେହେରା ଦ୍ୱିତୀୟ, ପଠାଣି ସାମନ୍ତ ମହାବିଦ୍ୟାଳୟ ଛାତ୍ରୀ ସ୍ୱର୍ଣ୍ଣପ୍ରଭା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଦୈନିକ ‘ସକାଳ’ ନୟାଗଡ଼ ଜିଲ୍ଲା ପ୍ରତିନିଧି ଅନୀଲ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ବିତର୍କ ପ୍ରତିଯୋଗିତା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସମସ୍ତ କୃତ୍ତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

Related posts