ପୋଷ୍ୟ ସନ୍ତାନ ଗ୍ରହଣ ସଂପର୍କରେ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ ମାସ ପାଳନ ଅବସରରେ ଏକ ସଚେତନତା ରଥର ଶୁଭ ଉଦ୍‌ଘାଟନ କରାଯାଇଥିଲା । ଏହାପରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ  ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ପୋଷ୍ୟ ସନ୍ତାନ ଗ୍ରହଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ କିଶୋର ଚନ୍ଦ୍ର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟାନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅର୍ଚ୍ଚନା କଅଁର, ଉପ ଆରକ୍ଷୀ ଅଧୀକ୍ଷକ ହେମନ୍ତ ରାଓ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ସୁବାସ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ସଂଯୋଗ, କଟକ ପ୍ରଶାନ୍ତ କୁମାର ପାଲଟାସିଂ ସଂସାଧନ ସଦସ୍ୟ ଭାବେ ଯୋଗ ଦେଇ ଜିଲ୍ଲାରେ ପୋଷ୍ୟ ସନ୍ତାନ ଗ୍ରହଣ କିଭଳି ଭାବେ ଅଭିବୃଦ୍ଧି ଘଟିବ ଓ ପ୍ରତିପାଳକ ଯତ୍ନ ବ୍ୟବସ୍ଥାର ସଠିକ୍ କାର୍ଯ୍ୟକାରୀ ହୋଇପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି ସେଚନତା କାର୍ଯ୍ୟକ୍ରମରେ ଚାଇଲଡ୍ ହେଲପ୍ ଲାଇନର ସୁଦୂର ପ୍ରସାର ନିମନ୍ତେ ପୋଷ୍ଟର ଗୁଡ଼ିକୁ ମଂଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ । ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଦମ୍ପତିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କର୍ମଶାଳାରେ ନୟାଗଡ଼ ଜିଲ୍ଲାର ସମସ୍ତ ସିଡିପିଓ,ସୁପରଭାଇଜର, ନର୍ସିଂ ହୋମର କର୍ମକର୍ତା,ସାମାଜିକ ଅନୁଷ୍ଠାନ, ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନର ତତ୍ୱାବଧାରକ, ଆଶା ସଂଯୋଜକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଯତ୍ନ ଅଧିକାରୀ ଶ୍ରୀ ସତ୍ୟରଂଜନ ଦାସ ସଂଯୋଜନା କରିଥିଲା ବେଳେ ଅଣଆନୁଷ୍ଠାନିକ ଯତ୍ନ ଅଧିକାରୀ ଶୈଳବାଳା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts