ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣାସହର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀ ମନ୍ଦିର ପଡ଼ିଆଠାରେ ବୋଇତ ବନ୍ଦାଣ ଉତ୍ସବ-୨୦୨୪ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ କଳିଙ୍ଗ ହସ୍ପିଟାଲ ନିର୍ଦ୍ଦେଶିକା ନିଲାଞ୍ଜନା ମୁଖାର୍ଜୀ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ନୟାଗଡ଼ ପୁରୁଣା ସହରରେ ଐତିହ୍ୟ ଓ ସଂସ୍କୃତିକୁ ଉଜ୍ଜିବୀତ କରିବା ସହ ବର୍ଷ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି ।
ଏହି ଅବସରରେ ମୁଖ୍ୟ ଅତିଥି ଡ଼ଃ. ସାହୁ କହିଥିଲେ ଯେ, ନୟାଗଡ଼ ପୁରୁଣା ସହରର ବାସିନ୍ଦାମାନେ ଏହି କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବେ ପ୍ରତି ବର୍ଷ ଆୟୋଜନ କରି ଆସୁଛନ୍ତି ଏବଂ ଏହା ବର୍ଷକୁ ବର୍ଷ ସୁଦୂରପ୍ରସାରି ହେଉଛି। ପରମ୍ପରା ଐତିହ୍ୟକୁ ବଜାୟ ରଖିବା ପାଇଁ ନୟାଗଡ଼ରେ ଯେଉଁ ପରମ୍ପରା ଚାଲିଛି ଏହା ସମସ୍ତଙ୍କ ପାଇଁ ପ୍ରେରଣା ହେବ। ଉକ୍ତ ଅନୁଷ୍ଠାନକୁ ବଞ୍ଚାଇ ରଖିଥିବା ସମସ୍ତ କର୍ମକର୍ତାଙ୍କୁ ବିଧାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରଥମ ଦିବସରେ ଭୁବନେଶ୍ୱରର ଦି ଅର୍ଗାନ ଅରକେଷ୍ଟ୍ରାର ରିଆଲିଟି ଶୋ କଳାକାର ଗଣ ଏବଂ କଟକର ନୃତ୍ୟ ମୟୁରୀ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ୨ୟ ଦିବସରେ ସ୍ଥାନୀୟ କଳାକାରଙ୍କ ନୃତ୍ୟ ପରିବେଷଣ ସହ ମା ମଙ୍ଗଳା ପାଇକ ଆଖଡ଼ା, ଶିଳ୍ପୀକା ଡ୍ୟାନ୍ସ ଗ୍ରୁପ ଭୁବନେଶ୍ୱର କଳାକାର ଏବଂ ଦି ଗ୍ରେଟ ଓଡିଶା ପାଲିଟିକାଲ ସର୍କସର ହାସ୍ୟ କଳାକାର ମାନେ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ କମିଟି ପକ୍ଷରୁ ସୂଚନା ଦିଆଯାଇଛି।