ନୟାଗଡ଼,(ନୟାଗଡ଼ ଦର୍ପଣ); ନୟାଗଡ଼ ବ୍ଲକ ବିକାଶପୁର ପଞ୍ଚାୟତ ଅନ୍ତର୍ଗତ ଜେମାଦେଇପୁର ଶାସନରେ ୪୬ତମ ଗ୍ରାମ ଜୟନ୍ତୀ ଉତ୍ସବ-୨୦୨୪ ପାଳିତ ହୋଇଯାଇଛି। ଗ୍ରାମ ସଭାପତି ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର କଅଁର ଓ ସରପଞ୍ଚ ସଞ୍ଜୁବାଳା ବିଶ୍ଵାଳ ପ୍ରମୁଖ ଯୋଗଦେଇ ଗ୍ରାମ୍ୟ ଜୟନ୍ତୀର ଆବଶ୍ୟକତା, ବିଭିନ୍ନତା ମଧ୍ଯରେ ଗାଁ’କୁ ମନେପକାଇ ଗାଁରେ ଏକାଠି ହେବାର ଅଭିନବ ପ୍ରୟାସ ଆଉ କେଉଁଠାରେ ଦେଖିବାକୁ ମିଳିବନି ବୋଲି କହିଥିଲେ।
ଗାଁର ଜନ୍ମ ଜୟନ୍ତୀ ପାଳନ କରିବା ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ ଏବଂ ଏଭଳି ଅନନ୍ୟ ପରମ୍ପରାକୁ ଅନ୍ୟମାନେ ଅନୁକରଣ କରିବେ ବୋଲି ଅତିଥିମାନେ କହିଥିଲେ। ଏ ଉତ୍ସବର ପ୍ରଥମ ଉଦ୍ୟୋକ୍ତା ମୁରଲୀଧର ଆଚାର୍ଯ୍ୟଙ୍କ ଏପରି ମହାନ ଚିନ୍ତାଧାରା ଏବଂ ତାଙ୍କର କନିଷ୍ଠପୁତ୍ର ଇଂ. ପ୍ରତାପ କୁମାର ଆଚାର୍ଯ୍ୟଙ୍କ ପୃଷ୍ଠପୋଷକତାରେ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମକୁ ଆଗେଇ ନେଉଥିବାରୁ ତାଙ୍କର ଅବଦାନ ଭୁଲିବାର ନୁହେଁ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ କୁନି ପ୍ରବଚକ କେଶବାନନ୍ଦ ଦାସ ଓ ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କ ଆଧ୍ୟାତ୍ମିକ ପ୍ରବଚନକୁ ବହୁ ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ। ଗ୍ରାମର ସମସ୍ତ ବ୍ୟକ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲାବେଳେ ଇଂ. ପ୍ରତାପ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।