ଚିହିଙ୍କି ଉଠିଲା ଗୋପାଳପୁର ଜୋନ୍ ବିଜୁ ଛାତ୍ର ଜନତା ଦଳ
ରଣପୁର (ନୟାଗଡ଼ ଦର୍ପଣ): ରଣପୁର ବ୍ଳକର ସର୍ବବୃହତ ଗୋପାଳପୁର ପଞ୍ଚାୟତର ପଞ୍ଚାୟତ ଗ୍ରାମ ସଭାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ବିଡ଼ିଓଙ୍କୁ ଫେରାଦ୍ ହୋଇଛି ଛାତ୍ର ବିଜୁ ଜନତା ଦଳ। ୧୯୬୮ ମସିହା ପଞ୍ଚାୟତ ରାଜ୍ ଆଇନ୍ ର ନିୟମ ଖୁଲମ୍ ଖୋଲା ଉଲଂଘନ ହୋଇଥିବା ଏକ ଲିଖିତ ଅଭିଯୋଗ ସହ ଗୋପାଳପୁର ଜୋନର ଛାତ୍ର ବିଜୁ ଜନତା ଦଳର ସଭାପତି ରୁଦ୍ର ପ୍ରସାଦ ମହାପାତ୍ର ରଣପୁର ପଞ୍ଚାୟତ ସମିତିର ବିଡ଼ିଓଙ୍କୁ ସାକ୍ଷାତ କରି ବିଧିବଦ୍ଧ ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ଅଭିଯୋଗ ମୁତାବକ ଗତ ଅକ୍ଟୋବର ୨ ତାରିଖରେ ଗୋପାଳପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ନେଇ ଗ୍ରାମ ସଭା ଅନୁଷ୍ଠିତ କରାଇବା ସହ ସେମାନଙ୍କ ମନ ମୁତାବକ ପଞ୍ଚାୟତର କାର୍ଯ୍ୟ ତାଲିକା ପ୍ରସ୍ତୁତ କରିଛନ୍ତି। ଯାହା ସମୂହ ସ୍ୱାର୍ଥ ବିରୋଧୀ ଅଟେ। ଏପରିକି ପଞ୍ଚାୟତିରାଜ ଆଇନରେ ଗ୍ରାମସଭା ଅନୁଷ୍ଠିତ ହେବାର ୧୫ ଦିନ ପୂର୍ବରୁ ପଞ୍ଚାୟତ ହେଡକ୍ୱାର୍ଟର୍ ସହିତ ସହଯୋଗୀ ଗ୍ରାମବାସୀଙ୍କୁ ଧେଣ୍ଡୁରା ମାଧ୍ୟମରେ ସୂଚନା ପ୍ରଦାନ କରିବାର ନିୟମ ଥିଲେ ସୁଦ୍ଧା ଉକ୍ତ ନିୟମକୁ ଜାଣିଶୁଣି ଉଲଂଘନ କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ରୁଦ୍ର ପ୍ରସାଦ। ଖୁବଶୀଘ୍ର ଉକ୍ତ ଅବ୍ୟବସ୍ଥାର ବିଧିବଦ୍ଧ ତଦନ୍ତ କରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପଞ୍ଚାୟତର ଉକ୍ତ ଗ୍ରାମସଭାରେ ସୁପାରିଶ କରାଯାଇଥିବା ସମସ୍ତ କାର୍ଯ୍ୟ ତାଲିକାକୁ ବାତିଲ୍ କରିବା ପାଇଁ ନିବେଦନ କରିଛନ୍ତି। ଏନେଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବିଡ଼ିଓ ବିହିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାପଡ଼ିଛି।