କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକମାନଙ୍କୁ ଦ୍ୱିପାକ୍ଷିକ ସହାୟତା ରାଶି ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରମ କମିଶନର, ଓଡ଼ିଶାଙ୍କ ପତ୍ର ସଂଖ୍ୟା ୧୦୨୪ ତା. ୦୧.୦୭.୨୦୨୪ରିଖ ଅନୁସାରେ ନୟାଗଡ଼ ଜିଲ୍ଲାରେ ଆଜି ଦ୍ୱିତୀୟ ଦ୍ୱିପାକ୍ଷିକ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ ଡିବିଟି ମାଧ୍ୟମରେ କରାଯାଇଛି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶ୍ରମ ଅଧିକାରୀ(କଲ୍ୟାଣ) ସୁଧିର କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଥିବା ଏହି ଦ୍ୱିପାକ୍ଷିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ୪୫ଜଣ ଆବେଦନକାରୀଙ୍କୁ ସର୍ବମୋଟ୍ ଟ.୫୧,୩୫,୪୦୦/-ର ଅର୍ଥ ରାଶି ସିଧା ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି ।  ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ୫ଜଣଙ୍କୁ ବିବାହକାଳୀନ ସହାୟତା ବାବଦରେ ଟ.୨,୫୦,୦୦୦/-, ୧୨ଜଣ ମୃତ୍ୟୁ ବରଣ କରିଥିବା ହିତାଧିକାରୀଙ୍କ ନୋମିନୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ଟ.୨୪,୦୦,୦୦୦/-, ୧୦ଜଣ ମୃତ୍ୟୁ ବରଣ କରିଥିବା ହିତାଧିକାରୀଙ୍କ ନୋମିନିଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ଟ.୫୦,୦୦୦/- ଏବଂ ୫ଜଣ ହିତାଧିକାରୀଙ୍କ ପିଲା ପାଠ ପଢ଼ିବା ପାଇଁ ଶିକ୍ଷା ସହାୟତା ବାବଦରେ ଟ.୩୫,୪୦୦/- ପ୍ରଦାନ କରାଯାଇଥିଲା । ଏହାଛଡ଼ା ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ୧୩ଜଣ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ନୋମିନୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ଟ.୨୪,୦୦,୦୦୦/- ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଏହି ବଣ୍ଟନ ଶିବିରରେ ନୟାଗଡ଼ ଜିଲ୍ଲା ଭାରପ୍ରାପ୍ତ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଚିତ୍ତରଞ୍ଜନ ରାଉତ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ସତ୍ୟବ୍ରତ ପାଇକରାୟ, ଅନିଲ କୁମାର ମହାରଣା, ପଦ୍ମିନୀ ସାହୁ, ରମାକାନ୍ତ ମିଶ୍ରଙ୍କ ସମେତ ସମସ୍ତ ହିତାଧିକାରୀମାନେ ଯୋଗ ଦେଇଥିଲେ । ଏହିଭଳି ଅଭିନବ ୧୫ଦିନିଆ ସହାୟତା ବଣ୍ଟନ ଶିବିର ଆଗକୁ ବି ଜାରି ରହିବ ବୋଲି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି ।

Related posts