ସେପ୍ଟେମ୍ବର ୧୪ ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ସେପ୍ଟେମ୍ବର ୧୪ତାରିଖ ଶନିବାର ଦିନ ଜିଲ୍ଲା ଓ ଦୌରା ଅଦାଲତ ନୟାଗଡ଼ ସମେତ ଜିଲ୍ଲାର ସମସ୍ତ ଅଦାଲତ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ସଚିବ ଶ୍ରୀ ଅଞ୍ଜଳି ମଛଖଣ୍ଡ ପ୍ରକାଶ କରିଛନ୍ତି । ଉକ୍ତ ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରଧିନ ମକଦ୍ଦମା ଯଥା ଫୌଜଦାରୀ (ସାଲିଶ ଯୋଗ୍ୟ ), ଚେକ ବାଉନ୍ସ , ବ୍ୟାଙ୍କ ଋଣ, ମୋଟୋର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଏହା ସହ ପ୍ରାକ୍  ମକଦ୍ଦମା ସ୍ତରୀୟ ମାମଲା ତଥା ଚେକ୍  ବାଉନ୍ସ ମାମଲା, ବ୍ୟାଙ୍କ ସମ୍ବନ୍ଧୀୟ ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ସାଲିଶ ଯୋଗ୍ୟ ଫୌଜଦରୀ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦି ର ସମାଧାନ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ । ଏହି ମକଦ୍ଦମା ବାବଦରେ ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ  ପଡିବ ନାହି ଏବଂ ଲୋକ ଅଦାଲତଙ୍କ ରାୟ ବୈଧ ଓ ଚୂଡ଼ାନ୍ତ। ଦୀର୍ଘ ଦିନ ଧରି ଚାଲୁ ରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହା ଏକ ସୁଯୋଗ। ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ଓ ତାଲୁକ ଆଇନ ସେବା କମିଟି ମାନଙ୍କ ସହିତ ଯୋଗାଯୋଗ କରିବାକୁ ସୂଚନା ଦିଆଯାଇଛି।

Related posts