ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମର ସୁପରିଚାଳନା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜନ କଲ୍ୟାଣକାରୀ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖୁବ ସୁନ୍ଦର ଭାବରେ ଯୋଜନାର ସୁପରିଚାଳନା କରାଯାଉଛି । ସମସ୍ତ ହିତାଧିକାରୀମାନଙ୍କ ପାଖରେ ଏହି ଯୋଜନାର ଫର୍ମ ପ୍ରାୟତଃ ପହଁଚିସାରିଲାଣି । ଏହି ଜିଲ୍ଲାର ୮ଟି ବ୍ଲକ ଯଥା-ଭାପୁରକୁ ୪୬୭୭୫, ନୟାଗଡ଼କୁ ୭୪୩୦୨, ରଣପୁରକୁ ୭୪୩୨୭, ଓଡ଼ଗାଁକୁ ୮୧୬୨୩, ନୂଆଗାଁକୁ ୪୪୬୨୦, ଦଶପଲ୍ଲାକୁ ୪୫୬୧୦, ଗଣିଆକୁ ୧୭୪୨୮ ଏବଂ ଖଣ୍ଡପଡ଼ାକୁ ୫୧୩୧୫ ସର୍ବମୋଟ ୪୩୬୦୦୦ଫର୍ମ ଯୋଗାଇ ଦିଆଯାଇଛି ।

ଏହି ଫର୍ମ ମଧ୍ୟରୁ ୮ ବ୍ଲକର ୮ ସିଡିପିଓଙ୍କୁ ୩୧୫୧୫୭,ଜିଲ୍ଲାର ୪୬୩ଟି ସହଜ ଜନସେବା କେନ୍ଦ୍ରକୁ ୮୯୯୦, ଜିଲ୍ଲାର ୩୪୬ଟି ମୋ ସେବା କେନ୍ଦ୍ରକୁ ୭୪୭୦, ବିଡିଓମାନଙ୍କ ପାଖରେ ୩୩୫୦,ଏନଏସି ଓ ପୌର ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ ୩୬୦୦,ପଂଚାୟତିରାଜର ନିର୍ବାଚିତ ପ୍ରତିନିଧିମାନଙ୍କୁ ୮୫୦ ସର୍ବମୋଟ ୩୩୬୪୧୭ ଫର୍ମ ବଂଟନ କରଯାଇଛି । ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ପ୍ରାୟ ସମସ୍ତ ହିତାଧିକାରୀମାନଙ୍କ ପାଖରେ ତିନିଲକ୍ଷରୁ ଉର୍ଦ୍ଧ ଫର୍ମ ପହଂଚି ସାରିଲାଣି । ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରଗୁଡ଼ିକ ହିତାଧିକାରୀମାନଙ୍କ ସମସ୍ତ ଦସ୍ତାବିଜ୍ ସ୍କାନ୍ କରି ସୁଭଦ୍ରା ପୋର୍ଟାଲରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହିସବୁ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପ୍ରତ୍ୟକ୍ଷ ତଦାରଖ ଓ ସମୀକ୍ଷା କରୁଛନ୍ତି । ଲକ୍ଷ ରଖିଛନ୍ତି କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରୁ ବାଦ୍ ନ ପଡ଼ନ୍ତି । ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀମାନେ ଯେପରି ସେମାନଙ୍କର ଆଧାର ଅପ୍‌ଡେସନ ସୁବିଧାରେ କରିପାରିବେ ସେଥିପାଇଁ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ୟାଙ୍କ, ଡାକଘର, ବ୍ଲକ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଆଧାର ଅପ୍‌ଡେସନ କେନ୍ଦ୍ରଗୁଡ଼ିକ ସକାଳ ୭ଘଟିକା ଠାରୁ ସନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ହିତାଧିକାରୀଙ୍କ ସୁବିଧା ଦୃଷ୍ଟିରୁ ଖୋଲା ରହିବ । ହିତାଧିକାରୀ ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ସେ ଅଂଚଳର ଆଇ.ଆଇ.ସି.ମାନଙ୍କ ସହିତ ଯୋଗାଯୋଗ କରି ଶୃଙ୍ଖଳା ସହ କାର୍ଯ୍ୟକ୍ରମକୁ ଆଗେଇ ନେବେ । ବିଦ୍ୟୁତ୍ ବିଭାଗ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିମନ୍ତେ ଜିଲ୍ଲା ପ୍ରସାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବି ହିତାଧିକାରୀ ଯୋଜନାରୁ ବାଦ୍ ପଡ଼ିଯିବା ଭୟରେ ବ୍ୟସ୍ତ ଓ ବିବ୍ରତ ନ ହୋଇ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମର ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ଦେବଦତ୍ତ ପଣ୍ଡା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଅନ୍ୟାନ୍ୟ ସଂପୃକ୍ତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ଅନୁରୋଧ କରିଛନ୍ତି । ଜିଲ୍ଲାରେ ଏ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସନ୍ତୋଷଜନକ ଭାବେ ଅଗ୍ରଗତି କରିଚାଲିଛି।

Related posts