ମହିଳା ସଶକ୍ତି କରଣ ନିମନ୍ତେ ସୁଭଦ୍ରା ଯୋଜନା ଆରମ୍ଭର କାର୍ଯ୍ୟ ଖସଡ଼ା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଜିଲ୍ଲାରେ ମହିଳାମାନଙ୍କୁ ସଶକ୍ତି କରଣ ନିମନ୍ତେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ଉଦ୍ଦେଶ୍ୟରେ ଜିଲ୍ଲା ଓଶ୍ୱାନ୍ ସଭା କକ୍ଷରୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ବ୍ଲକ ଓଶ୍ୱାନ୍ ସଭା କକ୍ଷକୁ ସଂଯୋଗ କରି ସମସ୍ତ ବିଭାଗର ଭୂମିକା ଓ ଦାୟିତ୍ୱ ସମ୍ବନ୍ଧରେ ବୁଝାଇଥିଲେ । ଏହି ଯୋଜନାରେ ମହିଳାମାନଙ୍କୁ ଆଗାମୀ ୫ବର୍ଷରେ ଟ.୫୦,୦୦୦/- ଦେଇ ଆତ୍ମ ନିର୍ଭରଶୀଳ କରିବାର କାର୍ଯ୍ୟକ୍ରମ ରହିଅଛି । ଦୁଇଟି କିସ୍ତିରେ(ରାକ୍ଷୀ ପୂର୍ଣ୍ଣିମା ଓ ବିଶ୍ୱ ମହିଳା ଦିବସ) ଟ.୫,୦୦୦/-ଲେଖାଏଁ ମୋଟ ଟ.୧୦,୦୦୦/- ବାର୍ଷିକ ୫ବର୍ଷରେ ଟ.୫୦,୦୦୦/- ପ୍ରଦାନ କରାଯିବ । ୨୧ ରୁ ୬୦ବର୍ଷ ବୟସର ମହିଳାମାନେ ଏଥିପାଇଁ ଆବେଦନ କରିପାରିବେ । ଯେଉଁ ମହିଳାମାନେ ମାସିକ ୧୫୦୦ଟଙ୍କା ଭତ୍ତା ପାଉଥିବେ,ସାଂସଦ କିମ୍ବା ବିଧାୟକ ପରିବାରର ମହିଳା ହୋଇଥିବେ,ନିର୍ବାଚିତ ପ୍ରତିନିଧି ହୋଇଥିବେ, ଚାରିଚକିଆ ଯାନ ଥିବ, ୫ଏକର ଜଳସେଚିତ ଜମି ବା ୧୦ଏକର ଅଣ ଜଳସେଚିତ ଜମି ଥିଲେ ଏହି ଭତ୍ତା ଦରଖାସ୍ତ କରିବା ପାଇଁ ଯୋଗ୍ୟ ବିବେଚିତ ହେବେନାହିଁ । ଆବେଦନ ପତ୍ରଗୁଡ଼ିକ ଅଙ୍ଗନବାଡ଼ି କେନ୍ଦ୍ର , ବ୍ଲକ କାର୍ଯ୍ୟାଳୟ , ସହଜ ସେବା କେନ୍ଦ୍ର , ମୋ ସେବା କେନ୍ଦ୍ରରେ ମିଳିପାରିବ । ଦରଖାସ୍ତକାରୀମାନେ ସହଜ ସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ଆବଶ୍ୟକୀୟ କାଗଜାତ ସହ ଦରଖାସ୍ତ ପୂରଣ କରି ଆବେଦନ କରିବେ ।

ଏଥିପାଇଁ ସେପ୍ଟେମ୍ବର ୧ ତାରିଖରୁ ମହିଳାମାନଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରାଯିବ । ସହଜ ସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ର ଦରଖାସ୍ତର ସମସ୍ତ କାଗଜାତକୁ ସ୍କାନ୍ କରି ସୁଭଦ୍ରା ଡାଟା ବେସରେ ଅପଲୋଡ୍ କରିବେ । ଦରଖାସ୍ତକାରୀମାନଙ୍କୁ ଦରଖାସ୍ତ କରିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ସହଜ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରମାନେ ହାର୍ଡକପିକୁ ତାଲିକା କରି ସଂପୃକ୍ତ ନୋଡାଲ ଅଧିକାରୀମାନଙ୍କୁ ପ୍ରତିଦିନ ପ୍ରଦାନ କରିବେ । ନୋଡାଲ ଅଧିକାରୀମାନେ ଦରଖାସ୍ତର ହାର୍ଡକପିଗୁଡ଼ିକୁ ସିଡିପିଓଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ । ସରକାର ସୁଭଦ୍ରା ଯୋଜନା ପାଇଁ ଏକ ଟୋଲ ଫି ନମ୍ବର ୧୫୫୩୩୫ ଜାରି କରିଛନ୍ତି ଯେଉଁଥିରେ ଆବେଦନକାରୀ ସେମାନଙ୍କର ସମସ୍ୟା ଓ ଯୋଜନା ବିଷୟରେ ବୁଝିପାରିବେ । ଏ ସମ୍ବନ୍ଧରେ ଅନ୍ୟାନ୍ୟ ସମସ୍ତ ତଥ୍ୟ ବିଡିଓ ଏବଂ ନିର୍ବାହୀ ଅଧିକାରୀ ପୌରପାଳିକା/ବିଜ୍ଞାପିତ ଅଂଚଳ ପରିଷଦଙ୍କ ଠାରୁ ବୁଝିପାରିବେ । ଜିଲ୍ଲା ଓଶ୍ୱାନ୍ ସଭା କକ୍ଷରେ ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବଦତ୍ତ ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲିପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅର୍ଚ୍ଚନା କଅଁରଙ୍କ ସମେତ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related posts