ଜିଲ୍ଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଅଚାନକ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୋଲପଟା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ । ପ୍ରଥମେ ତୃତୀୟ ଶ୍ରେଣୀ ପ୍ରବେଶ କରି ଛାତ୍ରଛାତ୍ରୀମାନଙ୍କୁ ଯୋଗ, ବିୟୋଗ ଓ ଗୁଣନ ସମ୍ବନ୍ଧୀୟ ସରଳ ପ୍ରଶ୍ନମାନ ପଚାରିଥିଲେ ଏବଂ ସେମାନଙ୍କ ଠାରୁ ସଠିକ୍ ଉତ୍ତର ପାଇ ଖୁସି ବ୍ୟକ୍ତ କରିଥିଲେ । ଏହା ପରେ ଦ୍ୱିତୀୟ ଶ୍ରେଣୀକୁ ଯାଇ ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ସହ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ଦ୍ୱିତୀୟ ଶ୍ରେଣୀର ଜଣେ ଛାତ୍ରୀ ଜାତୀୟ ସଙ୍ଗୀତ ସଠିକ୍ ଗାନ କରିଥିବାରୁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ । ପରେ ପରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହା ପରେ ଦଶମ ଶ୍ରେଣୀକୁ ଯାଇ ଇ-ଲାଇବ୍ରେରୀ, କମ୍ପ୍ୟୁଟର ଶିକ୍ଷା ଉପରେ ବିଭିନ୍ନ ପ୍ରଶ୍ନ ପିଲାମାନଙ୍କୁ ପଚାରିଥିଲେ। ପିଲାମାନଙ୍କୁ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଗଣିତ ଓ ଇଂରାଜୀ ବ୍ୟାକରଣ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିବା ସହ ସ୍ମାର୍ଟ ବୋର୍ଡ଼ରେ ବୁଝାଇଥିଲେ।

ଏହାପରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ମାଛିପଡ଼ା ଚନ୍ଦ୍ରଶେଖର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନେ ଗୋଟିଏ କୋଠରୀରେ ବସିଥିବା ଦେଖି ସେମାନଙ୍କୁ ଛୋଟ ଛୋଟ ମିଶାଣ ଓ ଫେଡ଼ାଣ ପଚାରି ସଠିକ୍ ଉତ୍ତର ପାଇଥିଲେ । ପଂଚମ ଶ୍ରେଣୀରେ ପ୍ରବେଶ କରି ସେଠାରେ ପ୍ରାଥମିକ ଚିକିତ୍ସା ଉପରେ ପାଠ ପଢ଼ାଯାଉଥିବାର ଦେଖି ଏହା ଉପରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ପିଲାମାନଙ୍କର ସାଧାରଣ ଜ୍ଞାନ ପରୀକ୍ଷା କରିବାକୁ ଯାଇ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ,ଦେଶର ପ୍ରଧାନମନ୍ତ୍ରୀ, ଜାତିର ଜନକ, ଦେଶର ରାଷ୍ଟ୍ରପତିଙ୍କ ନାମ ପିଲାମାନଙ୍କୁ ପଚାରିଥିଲେ । ଏହାର ସଠିକ୍ ଉତ୍ତର ପାଇ ଜିଲ୍ଲାପାଳ ପିଲାମାନଙ୍କ ଉପରେ ଖୁସି ହୋଇଥିଲେ । ପରେ ପରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ତଦାରଖ କରିଥିଲେ । ଏହି ପରିଦର୍ଶନରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ, ନୟାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ନିମେଇଁ ଚରଣ ପ୍ରଧାନ, ଡେପୁଟୀ କଲେକ୍ଟର ତପତୀ ରାଜ୍ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ ।

Related posts