କଙ୍ଗାରୁ କୋର୍ଟର କରୁଣ ପରିଣତି, ପୋଲିସର ଉପସ୍ଥିତରେ ଘର ଭାଙ୍ଗିବା ସହ ଆକ୍ରମଣ କଲେ ଗ୍ରାମବାସୀ

ରଣପୁର,(ନୟାଗଡ଼ ଦର୍ପଣ ): ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରୁ ପୁଣି ସାମ୍ନାକୁ ଆସିଛି କଙ୍ଗାରୁ କୋର୍ଟର କରୁଣ ପରିଣତି। ପୁଲିସ ଉପସ୍ଥିତିରେ ଆଇନକୁ ହାତମୁଠାକୁ ନେଇଛନ୍ତି ଗ୍ରାମବାସୀ। ଗୋଟିଏ ଘର ଭାଙ୍ଗିବା ସହ ୫ଜଣଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ରଣପୁର ଥାନା ରାଜ ସୁନାଖଳା ଫାଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି ଏହିପରି ଏକ ଅଭାବନୀୟ ଘଟଣା। ରାଜ ସୁନାଖଳାର ହଡ଼ା ନଈ ଠାରେ ସରକାରୀ ଜାଗାରେ ଭୂମିହୀନ ରମେଶ ବରାଡ଼ ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟ ଧରି ଘରଟିଏ କରି ସପରିବାର ରହି ଆସୁଥିଲେ।

ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ-୫୭ ରୁ ରମାବିଲକୁ ଏକ ପ୍ରସ୍ତାବିତ ନୂତନ ରାସ୍ତା ସଂଯୋଗୀ କରଣ ହେବାପାଇଁ ହେଲେ ରମେଶଙ୍କ ଏଇ ଘରପାଖ ଦେଇ ଅତିକ୍ରମ କରିବ। ଏଥିପାଇଁ ସ୍ଥାନୀୟ ରମାବିଲ ଗ୍ରାମବାସୀ ଆମ ମୌଜାରେ କାହିଁକି ଅଛ କହି ଏଠାରୁ ହଟିବାକୁ ଗ୍ରାମସଭା ଜରିଆରେ ରମେଶଙ୍କୁ ତାଗିଦ୍ କରିଥିଲେ। ପରେ ଗ୍ରାମବାସୀ ଏକାଠି ହୋଇ ରମେଶଙ୍କ ପରିବାରକୁ ହଟାଇବା ପାଇଁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଜଣେ ବୃଦ୍ଧାଙ୍କୁ ନିସ୍ତୁକ ମାଡ଼ ମାରିବା ଫଳରେ ଏବେ ସେ ଜୀବନ ମରଣ ସହ ଡାକ୍ତରଖାନାରେ ସଂଗ୍ରାମ କରୁଥିବା ଅଭିଯୋଗ ହୋଇଛି। ହାତରେ ଠେଙ୍ଗା, ଶାବଳ ଆଦି ଧରି ଗ୍ରାମବାସୀ ଆଇନକୁ ହାତକୁ ନେଇଛନ୍ତି। ଖବର ପାଇଁ ରାଜ ସୁନାଖଳା ଫାଣ୍ଡି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଉତ୍ୟକ୍ତ ଗ୍ରାମବାସୀ କିଛି ବି ଶୁଣିନଥିଲେ। ଆହତମାନେ ଗୁରୁତର ଅବସ୍ଥାରେ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ କରୁଛି। ଏହି ସ୍ଥାନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଏଯାବତ ନିଆଯାଇନି। ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଛି। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶରଣକୁଳ ଏସଡିପିଓ ସୁଧାକର ସାହୁ କହିଛନ୍ତି।

Related posts