ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପ୍ରଥମ ଜାତୀୟ ମହାକାଶ ଦିବସ ପାଳିତ

ରଣପୁର,(ନୟାଗଡ଼ ଦର୍ପଣ): ଆଜି ସାରା ଦେଶ ପାଳିଛି ପ୍ରଥମ ଜାତୀୟ ମହାକାଶ ଦିବସ।ଗତବର୍ଷ ଆଜିର ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଥିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO)। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା ଭାରତର ମୁନ୍‌ ମିଶନ ଚନ୍ଦ୍ରଯାନ-୩ । ପ୍ରତିଟି ଭାରତୀୟଙ୍କ ଛାତି ଖୁସିରେ ଫୁଲି ଉଠିଥିଲା । ଯାହା କୌଣସି ଦେଶ କରିବାରେ ସକ୍ଷମ ହୋଇନଥିଲା ତାହା କରି ଦେଖାଇଥିଲା ଭାରତ । ଦେଶରେ ବିଶ୍ବର ଏକ ନମ୍ବର ଦେଶ ଭାବେ ବିଶ୍ବବିଦିତ ହୋଇଥିଲା ଭାରତ । ଏହି ଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଜି ଦେଶ ପାଳିଛି ପ୍ରଥମ ଜାତୀୟ ମହାକାଶ ଦିବସ । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର ୪ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଥିଲା।

ଚନ୍ଦ୍ରଯାନ-୩ ଚନ୍ଦ୍ରକୁ ଛୁଇଁବା ପରେ ସାରା ଦେଶରେ ଉତ୍ସବର ମାହୋଲ ଆରମ୍ଭ ହୋଇଥିଲା।ପ୍ରତିଟି ଭାରତୀୟ ଗର୍ବିତ ଅନୁଭବ କରୁଥିଲେ। ପ୍ରତିଟି ଦେଶ ଏହି ଉପଲବ୍ଧି ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଥିଲେ । ଅଗଷ୍ଟ ୨୬ ତାରିଖରେ ISRO କମାଣ୍ଡ ନେଟୱାର୍କ ମିଶନ କଣ୍ଟ୍ରୋଲ କମ୍ପ୍ଲେକ୍ସରେ ପହଞ୍ଚିଥିଲେ ମୋଦି । ସେଠାରେ ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ସମୟରେ ଅଗଷ୍ଟ ୨୩ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଇସ୍ରୋର ସଫଳତା ଗାଥାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୩ ତାରିଖରେ ଜାତୀୟ ମହାକାଶ ଦିବସ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଥମ ଥର ଦେଶର ସବୁଆଡେ ଆଜି ଜାତୀୟ ମହାକାଶ ଦିବସ ପାଳନ କରାଯାଇଛି। ଏହି ଅବସରରେ ରଣପୁର ବ୍ଲକର ବିଭିନ୍ନ ଶିକ୍ଷାଅନୁଷ୍ଠାନରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଏହା ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଚାଲିଥିବା ପ୍ରୟୋଗ ତାଲିମ କେନ୍ଦ୍ରରେ ମଧ୍ୟ ଏହି ଜାତୀୟ ଦିବସ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ନିର୍ଦ୍ଦେଶରେ ପାଳିତ ହୋଇଥିଲା। ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ତାଲିମ କେନ୍ଦ୍ରରେ ଏହି ଅବସରରେ ପ୍ରୋଜେକ୍ଟର, ସ୍ମାର୍ଟ ବୋର୍ଡ, ଲାପଟପ, ଟାଵଲେଟ, କମ୍ପ୍ୟୁଟର ମାଧ୍ୟମରେ ଚନ୍ଦ୍ରାୟାନ-୩ ର ଭିଡିଓ ଦେଖା ଯାଇଥିଲା।ଏହା ସହିତ ବିଭିନ୍ନ ବିଦ୍ୟାଳୟରେ ଚନ୍ଦ୍ରାୟାନ-୩ର ମଡେଲ ଓ ଡ୍ରଇଁ ପ୍ରତିଯୋଗିତା କରାଯାଇଥିଲା।

Related posts