ଉଚ୍ଚଶିକ୍ଷା ପରବର୍ତ୍ତୀ କର୍ମକ୍ଷେତ୍ରରେ ଆତ୍ମନିଯୁକ୍ତି ତଥା ଦକ୍ଷତା ପ୍ରତିପାଦନ ଉପରେ କର୍ମଶାଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ଉଚ୍ଚଶିକ୍ଷା ପରବର୍ତ୍ତୀ କର୍ମକ୍ଷେତ୍ରରେ ଆତ୍ମନିଯୁକ୍ତି ତଥା ଦକ୍ଷତା ପ୍ରତିପାଦନ ଉପରେ ଗୁରୁତ୍ବାରୋପ କରାଯିବା ଉଦ୍ଦେଶ୍ୟ ନେଇ ନୟାଗଡ଼ ମଡେଲ ଡିଗ୍ରୀ କଲେଜଠାରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିବା ଏହି କର୍ମଶାଳାରେ ନୟାଗଡ଼ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ କର୍ତ୍ତବ୍ୟନିଷ୍ଠ ପୁଲିସ ଅଧିକାରୀ ଶ୍ରୀଯୁକ୍ତ ରାହୁଲ୍ ଜୈନ୍ ମହାଶୟ ଯୋଗଦାନ କରି କେନ୍ଦ୍ରୀୟ ଲୋକସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଉପାୟ ସହ ଛାତ୍ରଛାତ୍ରୀମାନେ କିପରି ଜୀବନର ସଂଘର୍ଷ କ୍ଷେତ୍ରରେ ଆଗେଇ ନିଜକୁ ପ୍ରତିଷ୍ଠିତ କରିପାରିବେ ସେ ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସହ ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ସେମାନଙ୍କ ମନରେ ଉଠୁଥିବା ବିଭିନ୍ନ ପ୍ରଶ୍ନର ସମାଧାନ ଅତି ସରଳ ଭାବେ କରିଥିଲେ। ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ଜୟେନ୍ଦ୍ର ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ‘କ୍ୟାରିଅର କାଉନସେଲିଂ’ର ସଂଯୋଜିକା ମଧୁସ୍ମିତା ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ପ୍ରଜ୍ଞାନ୍ସ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଗୌରମୋହନ ସାହୁ, ଡକ୍ଟର ଜୟରାମ ସିଂ ସାମଲ, ଡକ୍ଟର ଜ୍ୟୋତ୍ସ୍ନାରାଣୀ କର, ବିଜୟିନୀ ଶୁଭଦର୍ଶିନୀ, ଡକ୍ଟର ସନ୍ତୋଷ କୁମାର ବେହେରା, ଶ୍ରୀ ସୁନିଲ କୁମାର ମଲ୍ଲିକ, ରୀତିଶ୍ରୀ ମଲ୍ଲିକ, ଡକ୍ଟର ଅପରାଜିତା ମିଶ୍ର, ଦୀପିକାରାଣୀ ତୁରୁକ, ଡକ୍ଟର ପ୍ରକାଶ କୁମାର ସାହୁ, ରୀନାବାଳା ଘଡେଇଙ୍କ ସହିତ ପ୍ରାୟ ୧୫୦ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Related posts