ଦଶପଲ୍ଲା, (ନୟାଗଡ଼ ଦର୍ପଣ): “ମାଟିର ସ୍ୱର” ଦଶପଲ୍ଲା ୭୮ତମ ସ୍ବାଧୀନତା ଦିବସ ଅବସରରେ ଖମାରସାହି ପଞ୍ଚାୟତ ଅନ୍ତର୍ଗତ ସୁବଳିଆ ଡ଼ୁବୁରୀ ପାହାଡ଼ ଉପରେ ବହୁ ବର୍ଷ ଧରି ବସବାସ କରି ଆସୁଥିବା ଆଦିମ ଜନଜାତି ମୁଣ୍ଡ ପୋତା କେଳା ସମ୍ପ୍ରଦାୟଙ୍କ ବସ୍ତିରେ ପ୍ରାକ୍ତନ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତିଙ୍କ ପୌରହିତ୍ୟରେ ମାଟିର ସ୍ୱର ତରଫରୁ ସ୍ଵାଭିମାନ ଜନ୍ତାଳ ଅନୁଷ୍ଠିତ ହୋଇଯାଇଅଛି।
ଏ ଉତ୍ସଵରେ ବିଶିଷ୍ଟ ସମାଜ ସେବୀ ମହମ୍ମଦ ଅମିନ, ସମାଜସେବୀ ମମତାଜ୍, ସାହିତ୍ୟିକା ଡ. ବାସନ୍ତୀ ମହାନ୍ତି, ନାଟ୍ୟକାର ବିଶ୍ଵନାଥ ମହାପାତ୍ର, ପ୍ରଧ୍ୟାପକ ଓ କବି ଶ୍ରୀମାନ ଶିବବ୍ରତ ସାଇନାଥ ପ୍ରମୁଖ ବରେଣ୍ୟ ଅତିଥି ଯୋଗଦାନ କରି ମୁଣ୍ଡ ପୋତା କେଳା ସମ୍ପ୍ରଦାୟଙ୍କ ମୌଳିକ ସମସ୍ୟା ପ୍ରତି ସମବେଦନା ଜ୍ଞାପନ କରିବା ସହିତ ଏମାନଙ୍କ ଜୀବନ ଜୀବିକା, ବୃତ୍ତି, ପରମ୍ପରା, ରୋଜଗାର, ବାସଗୃହ, ପାନୀୟ ଜଳ, ଶିକ୍ଷା ସ୍ବାସ୍ଥ୍ୟ ଇତ୍ୟାଦି ପହଞ୍ଚି ପାରିନଥିବା ଦେଖି କ୍ଷୋଭ ପ୍ରକାଶ କରିଥିଲେ। ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆହ୍ଵାନ ଦେଇଥିଲେ।
ଦୀର୍ଘ ୭୮ବର୍ଷ ଧରି ନିଜ ଜାତିର ଓ ନିଜର ପରିଚୟ ଖୋଜୁଥିବା ମୁଣ୍ଡପୋତା କେଳାଙ୍କ ସ୍ଥିତିକୁ ସମୀକ୍ଷା କରିବା ଆବଶ୍ୟକ ବୋଲି ଅତିଥି ବୃନ୍ଦ ଆହ୍ଵାନ ଦେଇଥିଲେ।
ମୁଣ୍ଡ ପୋତା କେଳା ସମ୍ପ୍ରଦାୟଙ୍କ ସମସ୍ୟା ଉପରେ ଆଧାରିତ କବିତା ଗୀତ ପାଠ କରାଯିବା ସହିତ ମାଟିର ସ୍ୱର ତରଫରୁ ପ୍ରସ୍ତୁତି ହୋଇଥିବା ଦାବିପତ୍ର ପୁସ୍ତକ ‘Charter of Demand’ ଲୋକାର୍ପଣ ହୋଇଛି।ସ୍ୱର ହୀନର ସ୍ୱର “ମାଟିର ସ୍ୱର”ର ସଦସ୍ୟ ପ୍ରଭାତ କୁମାର ସାହୁ ଏ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।