ନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ରୋଗର ନିବାରଣ ପାଇଁ ସଚେତନତା ରାଲି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସକାଳେ ବିଭିନ୍ନ ରୋଗର ନିବାରଣ ପାଇଁ ଏକ ସଚେତନତା ରାଲି ସହରରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୭.୩୦ ମି. ସମୟରେ ଏହି ରାଲି ମ୍ୟୁନିସ୍‌ପାଲ୍‌ କାର୍ଯ୍ୟାଳୟରୁ ବାହାରି
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସମାପନ ହୋଇଥିଲା। ସେଠାରେ ଆୟୋଜିତ ସଭାରେ ନିଜ ଓ ନିଜ ପରିବାର ପାଇଁ ବର୍ଷାଦିନେ ପରିମଳ ନିହାତି ସଫା ରଖିବାକୁ ବକ୍ତାମାନେ ଗୁରୁତ୍ବାରୋପ କରିଥିଲେ । ସେହିପରି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଭଳି ରୋଗର ନିରାକରଣ ପାଇଁ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା।

ମ୍ୟୁନିସପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନା, କାଉନସିଲର ଦିନବନ୍ଧୁ ଗୁରୁ, କାଉନସିଲର ମଞ୍ଜୁ ଗୁମାନ ସିଂ, ରୁଦ୍ରପ୍ରସାଦ ରଥ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ବନମାଳି ପ୍ରଧାନ, ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଡା. ଅଜୟ କୁମାର ବାହିନୀପତି, ସମାଜସେବୀ ଗଦାଧର ଜେନା ପ୍ରମୁଖ ରାଲିରେ ଯାଇ ଜନସାଧାରଣଙ୍କୁ ସଚେତନତା କରାଇଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ବୃନ୍ଦ, ଏନ.ଏ.ସି. ବିଦ୍ୟାଳୟର ଛାତ୍ରଛାତ୍ରୀ, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ, ଆଶାକର୍ମୀ, ସ୍ଵଚ୍ଛସାଥି,
ସ୍ଵଚ୍ଛ ସୁପରଭାଇଜର, ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀ ଓ
ମେଡିକାଲ କର୍ମଚାରୀ ସାମିଲଥିଲେ । ନିର୍ବାହୀ ଅଧିକାରୀ ସ୍ନେହଲତା
ଆଚାର୍ଯ୍ୟ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗରମ ରନ୍ଧା
ଖାଦ୍ୟ ଖାଇବା, ମଶାରି ଟାଙ୍ଗି ଶୋଇବା, ଘର ଚାରିପାଖ ଅଳିଆ
ଆବାର୍ଜନା ମୁକ୍ତ ରଖିବା ଓ ସପ୍ତାହେ ଧରି ଗୋଟିଏ ଜାଗାରେ ପାଣି ଜମା ନକରି ନିଜ ପାଇଁ ସତର୍କ ହେବାକୁ ପରାମର୍ଶ ଦିଆଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ଜଣ ପ୍ଲାକାର୍ଡ ଧରି ସହର ପରିକ୍ରମା କରିଥିଲେ।

Related posts