ସଞ୍ଜ ନଇଁଲେ ରାସ୍ତା ଉପରେ ମଦ ଆସର, ଓଡଗାଁ ବାହାଡ଼ାଝୋଲା ରାସ୍ତା ଅସୁରକ୍ଷିତ

ଓଡଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ବ୍ଲକ୍ ଅନ୍ତର୍ଗତ ଓଡଗାଁ – ବାହାଡ଼ାଝୋଲା ରାସ୍ତାରେ ବେଆଇନ ମଦ କାରବାର ବଢ଼ିଚାଲିଛି। ଗାଡି ଟାଙ୍କିକୁ ତେଲ ପେଟକୁ ମଦ ମିଳୁଥିବା ଅଭିଯୋଗ ଆସିଛି ଦୁତିକେଶ୍ୱର ମନ୍ଦିର ଠାରୁ ବାହାଡ଼ାଝୋଲା ଯିବା ରାସ୍ତା ମଧ୍ୟରେ। ସକାଳୁ ସନ୍ଧ୍ୟ ଯାଏଁ ଚାଲିଛି ଖୁଲମ ଖୋଲା ମଦ ବ୍ୟବସାୟ। ବିନା ଲାଇସେନ୍ସରେ ଖୋଲା ଯାଇଛି ମଦ ଦୋକାନ। ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବ୍ୟତୀତ ଅନେକ ସ୍ଥାନରେ ବେଆଇନ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ରାସ୍ତାକଡ଼ରେ ଖୋଲାଖୋଲି ଚାଲୁଛି ଦେଶୀ ବିଦେଶୀ ମଦ କାରବାର ଯାହାଦ୍ଵାରା ସଞ୍ଜ ନଇଁଲେ ଏହି ରାସ୍ତା ଦେଇ ପଥଚାରୀମାନେ ଅସୁରକ୍ଷିତ ମଣୁଛନ୍ତି। ହେଲେ ବେଆଇନ ମଦ କାରବାରକୁ ଅବକାରୀ ବିଭାଗ କିମ୍ବା ପୁଲିସ ରୋକି ନପାରିବା ଚିନ୍ତାର ବିଷୟ ପାଲଟିଛି।

ଚୋରା ମଦ କାରବାର କରୁଥିବା ମାଫିଆମାନେ ଏହି ବ୍ୟବସାୟରୁ ପ୍ରଚୁର ଅର୍ଥ କମାଉଥିବା ବେଳେ ଗରିବ ଲୋକେ ତଳିତଳାନ୍ତ ହେଉଛନ୍ତି। ଏଥିସହିତ ବାହାଡ଼ାଝୋଲା ଅଞ୍ଚଳରେ ଅପମିଶ୍ରିତ ମଦ କାରବାର ମଧ୍ୟ ବଢୁଛି। ଫଳରେ ଏହି ଶସ୍ତା ଓ ହାନୀକାରକ ମଦ ପିଇ ଅକାଳରେ ଲୋକଙ୍କ ଜୀବନ ଚାଲିଯାଉଛି। ଏନେଇ ପ୍ରଶାସନିକ ସ୍ତରରେ କିଛି ଯାଞ୍ଚ ହେଉନଥିବାରୁ ମଦମୃତ୍ୟୁ ମାମଲା ସାମ୍ନାକୁ ଆସୁନି। ଏନେଇ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କୁ ପଚାରିବାରେ ସେ କହିଛନ୍ତି ଚୋରା ତଥା ବେଆଇନ ମଦ ବ୍ୟବସାୟ କରୁଥିବା ଦୋକାନ କିମ୍ବା ଘର ଉପରେ ଖୁବଶୀଘ୍ର ଚଢ଼ାଉ କରାଯିବ। ତେବେ ପରିବାରଗୁଡ଼ିକ ମଦ୍ୟପାନ କରି ଉଜୁଡ଼ିଯିବା ଆଗରୁ ପ୍ରଶାସନ ଯଥାଶୀଘ୍ର ସାବଧାନ ହେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Related posts