ରାଜ୍ୟସ୍ତରୀୟ ନାଟ୍ୟମେଳାର ୨ୟ ସଂଧ୍ୟା: ବିମୋହିତ କଲା ସମ୍ବଲପୁରୀ ନାଟକ ‘କେଡ଼ା’

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା ଏକ ଭିନ୍ନ ସ୍ୱାଦର ସମ୍ବଲପୁରୀ ନାଟକ ‘କେଡ଼ା’ । ଶନିବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଆଶିଷ କୁମାର ସୋନାର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସତ୍ୟରଂଜନ ବେହେରା । ଶ୍ରୀ କଲ୍‌ଚରାଲ ଆସୋସିଏସନ୍‌, ସମ୍ବଲପୁର ପକ୍ଷରୁ ପରିବେଷିତ ଏହି ନାଟକରେ ଆଜି ଅତିଥିଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଯୋଗଦାନ କରିଥିବା ବେଳେ ନାଟ୍ୟଧାରା ପରିବାର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସଂପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ କୁମାର ଚୌଧୁରୀ ପ୍ରମୁଖ ଯୋଗଦାନ କରିଥିଲେ ।

ଦୀନ ଓ ସରର ସଂସାରରେ ଏକମାତ୍ର ପୁତ୍ର କେଡ଼ା ଯାହାର ଆପଦ-ମସ୍ତକ ସମସ୍ତ ଅଙ୍ଗ ଅଚଳ । ସରର ମୃତ୍ୟୁ ପରେ ଦୀନ ପାଇଁ କେଡ଼ା ଏକ ଏମିତି ବୋଝ, ଯାହାର ବଞ୍ଚିବା ପାଇଁ ନା ସେ ତାର ସାହାରା ହୋଇ ପାରୁଛି ନା ନିଜେ ଭଲ କରି ବଞ୍ଚି ପାରୁଛି । ଏମିତି ଏକ ଦୁର୍ବିସହ ପରିସ୍ଥିତିରେ କେଡ଼ାକୁ ଜୀବନରେ ମାରି ଦେବାଟା କ’ଣ ପାପ ? ନା କେଡ଼ାକୁ ବଞ୍ଚିବାକୁ ଦେବାଟା ପୁଣ୍ୟ ? ଏହି ପାପପୁଣ୍ୟର ଲୁଚକାଳି ଖେଳ ଭିତରେ ହାରି ଯାଇଛି ଦୀନ, ବଞ୍ଚି ରହିଛି କେଡ଼ା ଏହି ସଂସାରରେ ଏକ ବୋଝ ହୋଇ । ଜନ୍ମ ହେବା ହିଁ ଯଦି ବଞ୍ଚି ରହିବାର ଅଧିକାରକୁ ବୁଝାଏ, ତେବେ ମୃତ୍ୟୁର ସଂଜ୍ଞା କ’ଣ ହୋଇପାରେ ? ଏମିତି ସମ୍ପୂର୍ଣ୍ଣ ପଙ୍ଗୁମାନଙ୍କର ସମସ୍ୟାର ସମାଧାନ ଆଜି କରିବ କିଏ ? ଏମିତି ଏକ ମାର୍ମିକ ଚିନ୍ତାଧାରାକୁ ଉପଜୀବ୍ୟ କରି ନାଟକ ‘କେଡ଼ା’ର ଉପସ୍ଥାପନା । ଦ୍ୱିତୀୟ ସଂଧ୍ୟାର ନାଟକକୁ ନାଟ୍ୟଧାରା ପରିବାର ପକ୍ଷରୁ ପ୍ରଶାନ୍ତ ଦାଶ, ଲକ୍ଷ୍ମୀଧର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ଅଶୋକ ମଲ୍ଲ, ପ୍ରଦୀପ ଡାକୁଆ ରାକେଶ ଦାସ, ପ୍ରଦୀପ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ନାଟକଟିକୁ ଅଡିଟୋରିୟମରେ ଭରପୂର ଦର୍ଶକ ବେଶ ଉପଭୋଗ କରିଥିଲେ ।

Related posts